ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ‘ପଥରରୁ କାହାଣୀ ପର୍ଯ୍ୟନ୍ତ’ ଶୀର୍ଷକ ଏକ ବୈଶିଷ୍ଟ୍ୟପୂର୍ଣ୍ଣ ଜାତୀୟ ସମ୍ମିଳନୀ

ଓଡିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଇତିହାସ ଓ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ଆୟୋଜିତ ଏକ ଦୁଇଦିନିଆ ଜାତୀୟ ସେମିନାର ‘ପଥରରୁ କାହାଣୀ ପର୍ଯ୍ୟନ୍ତ: ପ୍ରାଚୀନ, ମଧ୍ୟଯୁଗୀନ ଓ ଆଧୁନିକ ଐତିହ୍ୟର ଦୃଷ୍ଟିକୋଣ’ର ଉଦ୍‌ଘାଟନୀ ଅଧିବେଶନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି।

ଏହି ଦ୍ଵି-ଦିବସୀୟ ସେମିନାରର ଉଦ୍‌ଘାଟକ ଭାବେ ଆଇ.ଜି.ଏନ୍.ଟି.ୟୁ., ଅମରକଣ୍ଟକର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଯୋଗ ଦେଇ ଭାରତ ଓ ଓଡ଼ିଶାର ଐତିହ୍ଯର ଅନ୍ତର୍ନିହିତ ତଥ୍ଯ ସହ ଅବଗତ କରାଇବା ସହ ତାହାର ଆଧୁନିକ ଉପାୟରେ ପୁନଃନିର୍ମାଣ ଓ ସଂରକ୍ଷଣ, ଜନ ସଚେତନତା, ଗବେଷଣା, ଗୋଷ୍ଠୀଗତ ସହଯୋଗ ଆଦି ଅନ୍ୟାନ୍ଯ ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ଯ ଉପରେ ଅନ୍ତର୍ଦୃଷ୍ଟି ଦେଇଥିଲେ। ଏହାସହିତ ମୁଖ୍ୟ ବକ୍ତା ଭାବେ ଡ଼କ୍ଟର ଜୀବନ କୁମାର ପଟ୍ଟନାୟକ, ପ୍ରତ୍ନତତ୍ତ୍ବ ଖନନ ଶାଖା (ଖଣ୍ଡ – ୪), ଭୁବନେଶ୍ୱରର ବରିଷ୍ଠ ପ୍ରତ୍ନତତ୍ତ୍ବବିତ୍ ଯୋଗ ଦେଇ, ଭାରତର ପୁରାତନ ତଥ୍ୟ, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ, ଆଇନ ଅଧିନିୟମ ଓ ପ୍ରତ୍ୟକ୍ଷ ଧାରୋହର ବିଷୟରେ ଗଭୀର ବିଶ୍ଳେଷଣ କରିଥିଲେ।

ଏହି ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ଅଭିଭାଷଣରେ, ଓଡ଼ିଶା ତଥା ଭାରତୀୟ ଐତିହ୍ୟର ଦୂରଦୃଷ୍ଟି ସହ ଦୃଶ୍ୟମାନ ଓ ଅଦୃଶ୍ଯମାନ ସଂସ୍କୃତି ଐତିହ୍ଯ ପ୍ରତି ସୁରକ୍ଷାର ଆଭିମୁଖ୍ଯ, ଇତିହାସର ସଠିକ ଦସ୍ତାବେଜୀକରଣର ଗୁରୁତ୍ୱକୁ ଆଲୋକପାତ କରିବା ସହିତ ସମସ୍ତଙ୍କ ସାମୁହିକ ଦାୟିତ୍ବ ନିର୍ବାହ ତଥା ଭବିଷ୍ୟତ ଉପରେ ପ୍ରଭାବ ବିଷୟକୁ ଧ୍ୟାନ ଦେଇଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ତାଙ୍କ ଉଦବୋଧନରେ ସଂସ୍କୃତି ରକ୍ଷାରେ ବିଶ୍ୱବିଦ୍ୟାଳୟର ଭୂମିକା ଓ ଏହି ପ୍ରକାର ସେମିନାର ଆୟୋଜନର ଗୁରୁତ୍ୱ ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମରେ ଅତିଥିମାନଙ୍କ ପରିଚୟ ଓ ସ୍ୱାଗତ ସମ୍ବୋଧନ ସମ୍ମିଳନୀର ସଂଯୋଜକ ଡ଼କ୍ଟର ପବିତ୍ରମୋହନ ନାୟକ ପ୍ରଦାନ କରିଥିଲେ। ସମ୍ମିଳନୀ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରି ସଂଯୋଜକା ଡ଼କ୍ଟର ଶିଖାଶ୍ରୀ ରାୟ ସେମିନାରର ଉଦ୍ଦେଶ୍ୟ, ବୈଜ୍ଞାନିକ ପ୍ରସଙ୍ଗ ଓ ମୂଖ୍ୟ ପ୍ରସଙ୍ଗ ବିଷୟରେ ଉପସ୍ଥାପନା କରିଥିଲେ।

ବୈଷୟିକ ଅଧିବେଶନ ଗୁଡିକରେ ପୁରାତନ ଐତିହ୍ୟ, ପ୍ରତ୍ନତତ୍ତ୍ବ, ଆଇକନୋଗ୍ରାଫି, ସ୍ଥାପତ୍ୟ, ଶିଳ୍ପ, ଭାଷା, ମଧ୍ୟଯୁଗୀନ ଐତିହ୍ୟର ସାମାଜିକ ପରମ୍ପରା, ଧର୍ମ ଓ କାହାଣୀ, ସାମନ୍ତ ଗଠନ, ପାଣିଲିପି, ଶିଳ୍ପ, ସ୍ଥାପତ୍ୟ ତଥା ଆଧୁନିକ ଐତିହ୍ୟର ଉପନିବେଶିକ ଧାରା, ସ୍ୱାଧୀନତା ପରବର୍ତ୍ତୀ କାହାଣୀ, ଶିଳ୍ପ ଐତିହ୍ୟ, ପ୍ରବାସୀ ଓ ଜାତୀୟତାବାଦ ସହ ସାଂସ୍କୃତିକ ଐତିହ୍ୟର ମୌଖିକ ପରମ୍ପରା, ଗ୍ଲୋବାଲାଇଜେସନ ର ପ୍ରଭାବ ଏବଂ ଅଭିଲେଖାଗାର, ସଂଘାତ ଓ ଆପଦ ପରେ ଐତିହ୍ୟ, ଡିଜିଟାଲ ଓ ଆଭାସୀକ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ସଂପର୍କରେ ବିଷଦ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମକୁ ଡ଼କ୍ଟର ରାଜଶ୍ରୀ ଦତ୍ତ ସଂଚାଳନ କରିଥିଲେ ଓ ଡ଼କ୍ଟର ଆକାଶ ମଲ୍ଲିକ ଧନ୍ୟବାଦ ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.