ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ସଦର ୧ ନମ୍ବର ୱାର୍ଡ ବଡଦ୍ୱାର ସାହି କଲ୍ୟାଣୀ ନଦୀ ପୋଲ ପରିସରରେ ମହୁମାଛି ଆକ୍ରମଣ ଦ୍ୱାରା ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି । ଆଜି ଅପରାହ୍ନ ସମୟରେ ପାର୍ସାଲି ପଞ୍ଚାୟତ କାଡ଼ଙ୍ଗେଲି (ଗୁମ୍ମା) ଗ୍ରାମର କାଡ୍ରାକା ମିଣି ବୟସ ପ୍ରାୟ ୬୬ ସ୍ତ୍ରୀ କାଡ୍ରାକା କୁମରାଡ଼ି ବୟସ ୬୩ ଦୁହେଁ କଲ୍ୟାଣ ସିଂହପୁର ବ୍ୟାଙ୍କ ଶାଖା କୁ (KYC) ଓ ପୁରୁଣା ପାସ୍ ବୁକ୍ ବଦଳି କରିବାକୁ ଯାଇ ନିଜ ଘରକୁ ଫେରୁଥିବା ସମୟରେ ବଡଦ୍ୱାର ସାହି କଲ୍ୟାଣୀ ନଦୀ ପୋଲ ଉପରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଉକ୍ତ ପୋଲ ଦେଇ ନିୟମଗିରି ସହ ଜଗନ୍ନାଥ ପୁର, ପୋଲମା, ଥେରୁବାଲି ଦେଇ କଲ୍ୟାଣ ସିଂହପୁର ଅଞ୍ଚଳର ଲୋକେ ରାୟଗଡା ପ୍ରତିଦିନ ଯିବାଆସିବା କରୁଥିବା ବେଳେ ପୋଲ ତଳେ ୩ଟି ମହୁଫେଣା ବସା ବାନ୍ଧି ରହିଛନ୍ତି । ଏହି ମହୁମାଛି ସମୟ ସମୟରେ ତାଣ୍ଡବ କରୁଥିବା ସକାଶେ ଲୋକେ ଭୟଭୀତ ହେଉଛନ୍ତି । ସେହିପରି ଆଜି ମଧ୍ୟ ମହୁମାଛି ର ତାଣ୍ଡବ ଦିନ ଦି ପହରେ ଦେଖିବାକୁ ମିଳିଥିଲା ଏହି ସମୟରେ ପାର୍ସାଲି ପଂଚାୟତ କାଡ଼ଙ୍ଗେଲି (ଗୁମ୍ମା) ଗ୍ରାମର ବୃଦ୍ଧ ସ୍ୱାମୀ ସ୍ତ୍ରୀ ମହୁମାଛି ହାବୁଡ଼ରେ ପଡିଥିଲେ । ଉଭୟ ସ୍ୱାମୀ ସ୍ତ୍ରୀ ବୃଦ୍ଧ ହୋଇ ଥିବାରୁ ଦୌଡ଼ି ପାରିନଥିଲେ ଫଳରେ ମହୁମାଛି ଦଂଶନର ଶିକାର ହୋଇଥିଲେ । ସ୍ୱାମୀ ସ୍ତ୍ରୀଙ୍କୁ ଗୋଟେ କିମ୍ବା ଦୁଇଟି ନୁହେଁ ଶହ ଶହ ମହୁମାଛି ଆକ୍ରମଣ କରିଥିଲେ । ସେହି ସମୟରେ ପାଖରେ ଥିବା ଇଣ୍ଡିଆନ ପେଟ୍ରୋଲ ପମ୍ପ ଓ ପୁରୁଣାଭଟା ଛକ ଦୁଇ ପାର୍ଶରେ ଲୋକେ କିଛି ସମୟ ପାଇଁ ଭୟ ଭିତରେ ଅଟକି ରହିଥିଲେ । ଏତିକି ବେଳେ ସ୍ୱାମୀ ସ୍ତ୍ରୀ ମହୁମାଛି ଆକ୍ରମଣରେ ଗୁରୁତର ହୋଇଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ । ଡାକ୍ତର ଗୁରୁତର ସ୍ୱାମୀ ସ୍ତ୍ରୀ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଔଷଧ ଦେଇ ଘରକୁ ଯିବାକୁ କହିଥିଲେ । ମହୁଁମାଛି ବାରମ୍ବାର ଆକ୍ରମଣ ପରେ ବି ପ୍ରଶାସନର ହାତ ବନ୍ଧା ପଡ଼ିଛି । ମହୁମାଛି ଆକ୍ରମଣ ଘଟଣାରେ କାହାର ଜୀବନ ଯାଉଛି ତୋ କିଏ ମୃତ୍ୟୁ ମୁଖରୁ ଫେରୁଛି । ଏହିପରି କିଛି ମାସ ଆଗରୁ ନାଗାରାଜୁଙ୍କ ପିତା ଜି.ବେଣୁ ଗୋପାଳ ମନ୍ଦିରକୁ ପୂଜା କରିବାକୁ ଯାଇ ମହୁମାଛିର ଶିକାର ହୋଇ ହୃଦଘାତରେ ମୃତ୍ୟୁ ହୋଇଥିଲେ । ସେଇଭଳି ପଶୁ ଚିକତ୍ସକ ଡାକ୍ତର ବିଚିତ୍ରା ନନ୍ଦ ସାହୁ ମୃତ୍ୟୁ ମୁଖରୁ ଫେରିଥିବା ଦେଖିବାକୁ ମିଳିଥିଲା । ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ବନବିଭାଗ ବା ବ୍ଲକ ପ୍ରଶାସନ ଦୃଷ୍ଟି ରଖି ଶିବ ମନ୍ଦିର ପାର୍ଶ୍ୱ ପାଣିଟାଙ୍କି, ନାଗାବଳି ନଦୀ ପୋଲ ଓ ବଡଦ୍ୱାର ସାହି କଲ୍ୟାଣୀ ନଦୀ ପୋଲ ର ମହୁଫେଣା ଗୁଡିକୁ କାଢ଼ି ମହୁମାଛି ମାନଙ୍କୁ ଜଙ୍ଗଲ ମୁହାଁ କଲେ ଲୋକେ ମହୁମାଛି ଆକ୍ରମଣରୁ ବଞ୍ଚିତ ହୋଇଥାନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।