ପ୍ରକାଶ ପାଇଲା ବହୁ ଚର୍ଚ୍ଚିତ ଡ଼ା. ଦୁର୍ବାଦଳ ମିଶ୍ର ହତ୍ୟାକାଣ୍ଡ ରାୟ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଏଡିଏମଓ ତଥା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦୁର୍ବାଦଳ ମିଶ୍ର ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। ଦୀର୍ଘ ୧୧ ବର୍ଷ ପରେ ମାମଲାର ରାୟ ଶୁଣାଇଲେ ସୁବର୍ଣ୍ଣପୁର ଏଡିଜେ। ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍। ୨୧ ନଭେମ୍ଵର ୨୦୧୪ ମସିହା ରାତି ପ୍ରାୟ ୧୦.୩୦ ଟାରେ ସୁବର୍ଣ୍ଣପୁରର ଶିଶୁରୋଗ ବିଶେଷଜ୍ଞ ତଥା ଏଡିଏମ୍ଓ ଡା ଦୁର୍ବାଦଳ ମିଶ୍ର ଙ୍କୁ ତାଙ୍କ ଘର ପାଖରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଦୁର୍ବୃତ୍ତ। ଏହି ମାମଲାରେ ତଦନ୍ତ କରି ୩ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିଲା। ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅଭିଯୁକ୍ତ ଦ୍ବୟ ହେଲେ ପ୍ରତ୍ୟୁଷ ପଣ୍ଡା (ବାବୁଲୁ) ଓ ଅଶୋକ ସାହୁ। ଏହି ଘଟଣାରେ ଆଉ ଜଣେ ନାବାଳକ ଅଭିଯୁକ୍ତ ରହିଛନ୍ତି। ଯାହାର ଜୁଭେନାଇଲ କୋର୍ଟରେ ଟ୍ରାଏଲ ଚାଲିଛି। ଏହି ଚର୍ଚ୍ଚିତ ଘଟଣାରେ ସରକାରୀ ଓକିଲ ଭାବେ କହ୍ନେୟା ଲାଲ ପ୍ରଧାନ ମାମଲା ପରିଚାଳନା କରୁଥିଲା ବେଳେ ଅଭିଯୁକ୍ତଙ୍କ ଓକିଲ ଭାବେ ରାଜେନ୍ଦ୍ର ଅଗ୍ରୱାଲ କେସ୍ ପରିଚାଳନା କରୁଥିଲେ। ଏହି କେସରେ କୋର୍ଟ ସରକାରୀ ଓକିଲଙ୍କ ପକ୍ଷରୁ ୨୬ଟି ଏବଂ ଡିଫେନ୍ସ ତରଫରୁ ୩ଟି ସାକ୍ଷ୍ୟରେ ବୟାନକୁ ରେକର୍ଡ କରିଥିଲେ। ସାକ୍ଷ୍ୟ ପ୍ରମାଣ ଏବଂ ପାରିପାର୍ଶ୍ଵିକ ପରିସ୍ଥିତିକୁ ତର୍ଜମା କରି ଏଡିଜେ କୋର୍ଟ ଏହି ରାୟ ଶୁଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.