ରକ୍ତ କେନ୍ଦ୍ରରୁ ରକ୍ତ ନ ମିଳିବା କାରଣରୁ ନାବାଳକର ମୃତ୍ୟୁ ଅଭିଯୋଗ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଓଡିଶା ରକ୍ତ କେନ୍ଦ୍ରରୁ ରକ୍ତ ନ ଦେବାରୁ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ନାବାଳକ ହେଲେ ୯ ବର୍ଷୀୟ ରାଜୀବ ଟାକିରି । ସୂଚନା ଅନୁଯାୟୀ ରାୟଗଡା ସହରର ନ୍ୟୁ କଲୋନୀରେ ରହୁଥିବା ଅଟୋ ଡ୍ରାଇଭର ମଧୁସୂଦନ ଟାକିରିଙ୍କ ପୁଅ ରାଜୀବ ଟାକିରିଙ୍କୁ ଜ୍ୱର ହୋଇଥିଲା । ଜ୍ୱର ନ କମିବାରୁ ପୁଅକୁ ଧରି ଗତକାଲି ସକାଳ ୯ଟାରେ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏହାପରେ ଡାକ୍ତର ତାଙ୍କୁ ରକ୍ତ ପରୀକ୍ଷା କରିବା ପାଇଁ କହିଥିଲେ । ରକ୍ତ ପରୀକ୍ଷା ପରେ ପୁଅର ରକ୍ତର ଅଭାବ ରହିଛି ଯଥାଶୀଘ୍ର ରକ୍ତ ଚଢାଇବା ପାଇଁ ଡାକ୍ତର କହିବା ପରେ ଓଡିଶା ରକ୍ତ କେନ୍ଦ୍ରକୁ ରକ୍ତ ପାଇଁ ଯାଇଥିଲେ । ହେଲେ ରକ୍ତ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରି ରକ୍ତ ନ ଦେଇ ଫେରାଇ ଦେଇଥିଲେ । ରାତି ୯ ଟା ପର୍ଯ୍ୟନ୍ତ ରକ୍ତ ପାଇଁ ସେ ନେହୁରା ହେଉଥିଲେ । କିନ୍ତୁ ଆଜି ସକାଳେ ଯେତେବେଳେ ଅନ୍ୟଜଣଙ୍କ ରକ୍ତ ଦେଲା ପରେ ଯାଇ ରକ୍ତ କେନ୍ଦ୍ରରୁ A+ ରକ୍ତ ଦେଇଥିଲେ । ହେଲେ ରକ୍ତ ଚଢାଇବା ସମୟରେ ହିଁ ନାବାଳକଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ କ୍ଷତିପୂରଣ ଦାବି କରି ପରିବାର ଲୋକ ରକ୍ତ କେନ୍ଦ୍ର ସଂମ୍ମୁଖରେ ଧାରଣା ଦେଇଥିଲେ ।ପରେ ଘଟଣା ସ୍ଥଳରେ ଥାନା ଆଇଆଇସି କମଳକାନ୍ତ ବସନ୍ତ କୁମାର ପ୍ରଧାନ, ଡାକ୍ତର ସୁରେଶ ଚନ୍ଦ୍ର ଦେ ଏବଂ ଓଡିଶା ରକ୍ତ କେନ୍ଦ୍ର ଇନଚାର୍ଜ ଗୌତମ ପଟ୍ଟନାୟକ ପହଂଚି ଧାରଣା ଦେଇଥିବା ଲୋକଙ୍କ ସହିତ ଆଲୋଚନା କରିବା ପରେ ଏକ ଲିଖିତ ପ୍ରତିଶୃତି ଦେଇଥିଲେ ଯେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବୁରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିବା ଜଣାପଡିଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.