ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକର ଅଟକ, ରାୟଗଡ଼ା ରେଳ ଷ୍ଟେସନରୁ ଉଠାଇନେଲା ପୁଲିସ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ବିଶିଷ୍ଟ ପରିବେଶବିତ୍ ମେଧା ପାଟେକରଙ୍କୁ ଅଟକ ରଖିଛି ରାୟଗଡା ପୁଲିସ । ବିଶ୍ଵ ପରିବେଶ ଦିବସରେ ପ୍ରାକୃତିକ ସମ୍ପଦ ସମାବେଶରେ ଯୋଗଦେବାକୁ ଯାଉଥିବା ବେଳେ ରାୟଗଡ଼ା ରେଳ ଷ୍ଟେସନରୁ ପୁଲିସ ଉଠାଇ ନେଇଥିବା ସୂଚନା ମିଳିଛି । ଆଜି ମେଧା ପାଟେକର କାଶୀପୁର ବ୍ଲକର ସୁଙ୍ଗେର ହାଟ ପଦା ଠାରେ ବିଶ୍ବ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ହେଲେ ସଭାସ୍ଥଳକୁ ଯିବା ପୂର୍ବରୁ ପୁଲିସ ତାଙ୍କୁ ଉଠାଇ ନେଇଛି । ବର୍ତ୍ତମାନ ରାୟଗଡ଼ା ପୁଲିସ ମେଧା ପାଟେକରଙ୍କୁ ଜିଲ୍ଲା ବାହାର ବ୍ରହ୍ମପୁରକୁ ପଠେଇଥିବା ଜଣାପଡିଛି । କାଶୀପୁର ବ୍ଲକର ସିଜିମାଳି ଖଣି ଖନନକୁ ବିରୋଧ କରି ଉକ୍ତ ଅଞ୍ଚଳର ଲୋକେ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ପୂର୍ବରୁ ଅନେକ ଥର ଖଣି ଖନନକୁ ନେଇ ଉକ୍ତ ସ୍ଥାନରେ ଅଶାନ୍ତକର ପରିବେଶ ସୃଷ୍ଟି ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ଆଦିବାସୀ ଆନ୍ଦୋଳନ କାରୀଙ୍କୁ ପୁଲିସ ଗିରଫ ମଧ୍ୟ କରିଛି । ତେବେ ଆଜି ବିଶ୍ବ ପରିବେଶ ଦିବସ ଅବସରରେ ସୁଙ୍ଗେର ହାଟ ପଦାରେ ମାଁ ମାଟି ମାଳି ସୁରକ୍ଷା କମିଟି ପକ୍ଷରୁ ବିଶାଳ ସମାବେଶ ଆୟୋଜନ ହେବାର ଥିଲା । ପାଟେକର ଜଣେ ଆଗ ଧାଡ଼ିର ପରିବେଶ ସୁରକ୍ଷା କାରିଣୀ ତେଣୁ ତାଙ୍କ ଅନୁପସ୍ଥିତିକୁ ନେଇ ତୀବ୍ର ଆଲୋଚନା ଚାଲିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.