ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣଙ୍କୁ ବ୍ୟାପକ ସଚେତନତା କରିବା ନିମନ୍ତେ ଚଳିତ ଜୁନ ମାସ ୧୨ ଠାରୁ ୨୧ ତାରିଖ ମଧ୍ୟରେ ପ୍ରତି ଗ୍ରାମ ପଞ୍ଚାୟତରେ ବୁଲିବ ବିକାଶ ବାହନ ଗାଡ଼ି | ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରାୟଗଡ଼ା ବ୍ଳକ ସଦଭାବନା ସଭା ଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ ମିଶ୍ର ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଳକ ନୋଡାଲ ଅଧିକାରୀ କାଳୁଚରଣ ନାୟକ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ଗାଡ଼ିର ଦୈନିକ ଯାତ୍ରା ଯୋଜନା, ବିଭିନ୍ନ ବିଭାଗୀୟ ସୁବିଧା ସୁଯୋଗ ବଣ୍ଟନ, ମୌଳିକ ସମସ୍ୟା ଚିହ୍ନଟ ଓ ଅଭିଯୋଗ ଗ୍ରହଣ ଆଦି ବିଷୟରେ ଆଲୋଚନା କରିଥିଲେ । ଏଥିରେ ଜଙ୍ଗଲ ବିଭାଗ, ସ୍ଵାସ୍ଥ୍ୟ ବିଭାଗ, ଓଡ଼ିଶା ଜୀବିକା ମିଶନ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ସାମାଜିକ ସୂରକ୍ଷା ବିଭାଗ, ଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ପଶୁପାଳନ ବିଭାଗ, ଶ୍ରମ ବିଭାଗ, କୃଷି ବିଭାଗ ଏବଂ ବ୍ୟାଙ୍କର ଆଦି ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।ନୂତନଆଧାର ପଞ୍ଜିକରଣ, ଇ କେ ୱାଇ ସି ସହ ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଆଦି ସୁବିଧା ଉପଲବ୍ଧ ନେଇ ଆଲୋଚନା କରାଯାଇଥିଲା । ଏଥିରେ ରାୟଗଡ଼ା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ ସାହୁ, ଡ଼ଃ ସୁନିଲ ମହାପାତ୍ର, ରେଞର କାମେଶ୍ଵର ଆଚାରୀ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗ୍ରାମ ପଞ୍ଚାୟତ ସ୍ତରୀୟ ନୋଡାଲ ଅଧିକାରୀ ବ୍ଳକ ଜୀବିକା ମିଶନ ପରିଚାଳକ ଓ ବ୍ଳକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀଗଣ ଯୋଗଦେଇଥିଲେ ।