ରାଷ୍ଟ୍ରୀୟ ଚେତନାର ପାରଦର୍ଶୀ ପ୍ରବକ୍ତା ଓ ମାର୍ଗଦର୍ଶୀ ପ୍ରଚାରକ ଥିଲେ ହରିହର ନନ୍ଦ

‘ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ ତୈଳଚିତ୍ର ଉନ୍ମୋଚିତ ହେଲା ହରିହର ନନ୍ଦଙ୍କ ତୈଳଚିତ୍ର

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡିଶାର ସର୍ବପ୍ରାଚୀନ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ ବିଶିଷ୍ଟ ସାରସ୍ୱତ ସାଧକ ଓ ଯଶସ୍ବୀ ରାଷ୍ଟ୍ରବାଦୀ ସଂଗଠକ ହରିହର ନନ୍ଦଙ୍କ ତୈଳଚିତ୍ର କଟକସ୍ଥ ଶତାବ୍ଦୀ ଭବନରେ ଉନ୍ମୋଚିତ ହୋଇଯାଇଛି।

ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏଇ ଭବ୍ୟ ଓ ଦିବ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା ତଥା କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଷ୍ଟ୍ରୀୟ ଏକତା ଓ ସଂହତିର ସୁରକ୍ଷା ପାଇଁ ହରିହର ନନ୍ଦଙ୍କ ଜୀବନବ୍ୟାପୀ ନିରଳସ ସାଧନା ବାସ୍ତବରେ ଉଲ୍ଲେଖନୀୟ ଓ ଉଦାହରଣୀୟ ବୋଲି କହିଥିଲେ। ସମ୍ମାନନୀୟ ଅତିଥି ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଶ୍ରୀ ନନ୍ଦଙ୍କ ସାରସ୍ୱତ ସାଧନା,ସାଙ୍ଗଠନିକ ଦକ୍ଷତା, ନିଷ୍ଠାପର କର୍ତ୍ତବ୍ୟପରାୟଣତା ଓ ନିରନ୍ତର ଦେଶସେବା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାରସ୍ୱତ ସାଧକ, ସୁବକ୍ତା, ‘ରାଷ୍ଟଦୀପ’ର ପୂର୍ବତନ ସମ୍ପାଦକ ଜଗବନ୍ଧୁ ମିଶ୍ର ଶ୍ରୀ ନନ୍ଦଙ୍କୁ ଜଣେ ବାଗ୍ମୀ, ବିଦ୍ୱାନ, ବହୁଦର୍ଶୀ, ଜାତୀୟତାବାଦୀ ସୃଷ୍ଟିସମ୍ଭାରର ସଫଳ ସ୍ରଷ୍ଟା ଓ ମୌଳିକ ଚିନ୍ତକ ଭାବେ ଉପସ୍ଥାପନା କରିଥିଲେ। ସୁଶ୍ରୀ ସୁବର୍ଣ୍ଣରେଖା ପ୍ରଧାନ ହରିହର ନନ୍ଦଙ୍କ କବିତା ଗାନ କରିଥିଲେ। ଚିତ୍ରଶିଳ୍ପୀ ଜୟଶଙ୍କର ମହାରଣା ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କୁ ତୈଳଚିତ୍ର ପ୍ରଦାନ କରିଥିଲେ। ଅନୁଷ୍ଠାନର ଉପସଭାପତି ଜୀବନାନନ୍ଦ ଅଧିକାରୀ ଅତିଥି ଆମନ୍ତ୍ରଣ ଓ ସଂଗଠନ ସମ୍ପାଦକ ଡକ୍ଟର ସୁନାମଣି ରାଉତ ଉତ୍କଳ ସାହିତ୍ୟ ସମାଜର ସ୍ମାରକୀପତ୍ର ପାଠ କରିଥିଲେ।

ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ଆଦିତ୍ୟପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ରାଧାଶ୍ୟାମ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଜ୍ଞା ପରିମିତା ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମରେ ଶ୍ରୀ ନନ୍ଦଙ୍କ ପରିବାର ସଦସ୍ୟ, ବନ୍ଧୁବର୍ଗ, ଆତ୍ମୀୟସ୍ୱଜନ, ପ୍ରିୟପରିଜନ ସମେତ ଶ୍ରୀ ନନ୍ଦଙ୍କୁ ଭଲ ପାଉଥିବା, ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଅନେକ ଶୁଭେଚ୍ଛୁ ସାରସ୍ୱତ ସାଧକ, ସାହିତ୍ୟାନୁରାଗୀ, ବୁଦ୍ଧିଜୀବୀ, ସୁଧୀ, ସଜ୍ଜନ ଉତ୍ସବରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସାହିତ୍ୟ ସମାଜର ପାଠାଗାର ସମ୍ପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ, କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ଶଶିକାନ୍ତ ରାଉତ, ଦିଲ୍ଲୀପ ଦାସ, ମୁରଲୀଧର ଶତପଥୀ, ତପନ କୁମାର ସ୍ୱାଇଁ, ସରୋଜ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.