ବିକାଶ ମେଳା ପରିପ୍ରେକ୍ଷୀରେ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ‘ବର୍ଷ ଏକ : ଉପଲବ୍ଧି ଅନେକ’ କୁ ନେଇ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ସୁବର୍ଣ୍ଣପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକ ରେ ବିକାଶ ମେଳାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୧୧ ବର୍ଷର ବିକାଶ ଉପଲବ୍ଧି ସହ ଦେଶର ସୀମା ଓ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଆତଙ୍କବାଦୀଙ୍କ ମୂଳତ୍ପାଟନ ପାଇଁ ଅପରେସନ ସିନ୍ଦୁର ଉପରେ ଆଲୋକପାତ କରିଥିବାବେଳେ ବିକଶିତ ଭାରତ ସହ ବିକଶିତ ଓଡିଶା ପାଇଁ ନିଆଯାଇଥିବା ସଂକଳ୍ପ ସମ୍ପର୍କରେ କହିଛନ୍ତି । ବିକଶିତ ଓଡ଼ିଶାର ସଂକଳ୍ପକୁ ନେଇ ବିଗତ ଏକବର୍ଷ ମଧ୍ୟରେ ରାଜ୍ୟ ବିକାଶର ବିଭିନ୍ନ ସଫଳତା ଉପରେ କହିଥିବାବେଳେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧ଶହକୁ ବୃଦ୍ଧି, ମହିଳା ସଶକ୍ତିକରଣକୁ ନେଇ ପ୍ରବର୍ତ୍ତିତ ସୁଭଦ୍ରା ଯୋଜନା ଏବଂ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ସଫଳତାର ଫର୍ଦ୍ଦ ଉପରେ ସୂଚନା ଦେଇଛନ୍ତି । ବିଶେଷକରି ଏବେ ଦେଶ ଏବଂ ଓଡ଼ିଶା ରାଜ୍ୟର କୃଷି, ଶିଳ୍ପ, ପ୍ରତିରକ୍ଷା ସହ ଦେଶର ଆର୍ଥିକ ଅଭିବୃଦ୍ଧିକୁ ନେଇ ହୋଇପାରିଥିବା ଉନ୍ନୟନ ଉପରେ କହିଥିବାବେଳେ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ନିଆଯାଇଥିବା ସଂକଳ୍ପ ଉପରେ ମନ୍ତ୍ରୀ ରବି ନାରାୟଣ ନାଏକ ଆଲୋକପାତ କରିଥିଲେ । ରାଜ୍ୟର ସମସ୍ତ ଜିଲ୍ଲାରେ ବିକାଶ ମେଳା – ୨୦୨୫ ଆୟୋଜନ କରାଯାଉଥିବା ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାରେ ବିକାଶର ବାର୍ତ୍ତା ଓ ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ଜନାଭିମୁଖୀ ତଥା ବିକାଶରେ ଜନସହଭାଗୀତାକୁ ଦୃଢ଼ କରିବା ଲକ୍ଷ୍ୟରେ ୧୨ ରୁ ୨୧ ଜୁନ୍ ୨୦୨୫ ପର୍ଯ୍ୟନ୍ତ “ବିକାଶ ମେଳା – ୨୦୨୫” ଓ “ସୁଭଦ୍ରା ଶକ୍ତି ଫୁଡ୍ ଫେଷ୍ଟିଭାଲ୍” ଆୟୋଜନ ରୟାଲଫିଲ୍ଡ ଠାରେ କରାଯାଉଛି। ଏହି ବିକାଶ ମେଳା ଅବସରରେ ୬୨ଟି ଷ୍ଟଲ୍ ସ୍ଥାପିତ ହେବା ସହ, ମେଳାରେ ଓରମାସ ଦ୍ୱାରା ୩୭ ଓ ସୁଭଦ୍ରା ଶକ୍ତି ଉଦ୍ୟମରେ ୨୫ଟି ଷ୍ଟଲ୍ ସ୍ଥାପିତ କରାଯିବ ଯେଉଁଥିରେ ଜିଲ୍ଲାର ପାରମ୍ପରିକ ଖାଦ୍ୟ ଷ୍ଟଲ୍ ସହ ବିଭିନ୍ନ ସରକାରୀ ଯୋଜନାର ରୂପରେଖ ତଥା ଜିଲ୍ଲା ବିକାଶର ପ୍ରତିଛବିକୁ ଉପସ୍ଥାପିତ କରାଯିବ। ୭ ଦିନ ଧରି ପ୍ରତି ସନ୍ଧ୍ୟାରେ ସମ୍ବଲପୁରୀ, ଓଡ଼ିଶୀ, ଲୋକ କଳା ସଂଗୀତ ଓ ନୃତ୍ୟର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ତଥା ଜିଲ୍ଲା ସ୍ତରୀୟ ବିକାଶ ମେଳା ସମୀକ୍ଷା ବୈଠକରେ ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଓ ଜିଲ୍ଲାପାଳ ଅନ୍ୟା ଦାସ ଓ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ନେତୃ ବୃନ୍ଦ, ବୁଦ୍ଧିଜୀବୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.