ଓଡିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଶିକ୍ଷା, ଗବେଷଣା ଓ ସାଂସ୍କୃତିକ ସହଯୋଗରେ ନୂଆ ଅଧ୍ଯାୟ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଗ୍ରଗତିକୁ ନୂଆ ଦିଗରେ ବଢ଼ାଇବା ଉଦ୍ଦେଶ୍ୟରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସଂପ୍ରତି ୯ ତାରିଖ ଦିନ ସ୍ଵାକ୍ଷରିତ ହୋଇଛି।
ଏହି ଅବସରରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସ ଓ ପ୍ରଫେସର ପଙ୍କଜ କୁମାର ପାଢୀଙ୍କ ସମେତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଓ କୁଳସଚିବ ଅନାମିକା ଅଧିକାରୀ ଉପସ୍ଥିତ ଥିଲେ।
ଏହି ବୁଝାମଣାପତ୍ର ଦ୍ୱାରା ଦୁଇ ବିଶ୍ୱବିଦ୍ୟାଳୟର ଜ୍ଞାନ ଓ ସଂସ୍କୃତିର ଧାରାର ବିକାଶ ତଥା ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚ ଶିକ୍ଷା ଓ ଗବେଷଣା ସଂପ୍ରସାରଣ ପାଇଁ ଏକ ସଂଯୁକ୍ତ ପ୍ଲାଟଫର୍ମ ସୃଷ୍ଟି ହେବ ବୋଲି ଆଶାବ୍ୟକ୍ତ କରାଯାଇଛି। ଏହା ଦ୍ୱାରା ପାରସ୍ପରିକ ଜ୍ଞାନର ଆଦାନ-ପ୍ରଦାନ, ଅନୁସନ୍ଧାନମୂଳକ କାର୍ଯ୍ୟକ୍ରମ ଓ ଛାତ୍ର-ଅଧ୍ୟାପକ ବିନିମୟ ଅବସର ବୃଦ୍ଧି ପାଇବ। ଓଡ଼ିଶାର ଶିକ୍ଷା ଓ ସାଂସ୍କୃତିକ ମାନଚିତ୍ରରେ ଏହି ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଥିଲେ।