ଦାରିଙ୍ଗବାଡିରେ ଗଡ଼ିଲା ବିକାଶ ବାହନ

୨୫ ପଞ୍ଚାୟତରେ ସରକାରଙ୍କ ଯୋଜନା ପହଞ୍ଚାଇବାକୁ ଲକ୍ଷ୍ୟ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ରାଜ୍ୟରେ ଗୁରୁବାର ବିକାଶ ବାହନ ଗଡିଛି। ଏହାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ବିକାଶ ବାହନ ଗଡିଛି। ଏହାକୁ ବିଡ଼ିଓ ପ୍ରୀତିରଞ୍ଜନ ରଥ, ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକ ପତାକା ଦେଖାଇ ବ୍ଲକ ପରିସରରୁ ଗଡିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଧୀରଜ ପାତ୍ର, ସିଡିପିଓ ସାରାଣୀ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ବିକାଶ ବାହନ ଉକ୍ତ ବ୍ଲକର ଗୁମିକିଆ ଏବଂ ବୁଡ଼ାଗୁଡା ପଞ୍ଚାୟତକୁ ଯାଇ ସେଠାରେ କେନ୍ଦ୍ର ସରକାରଙ୍କ ୧୧ ଓ ରାଜ୍ୟର ୧ ବର୍ଷର ସଫଳ କାର୍ଯ୍ୟ ଓ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବ। ଏଥିସହ ଯେଉଁସବୁ ପଞ୍ଚାୟତ ଅଞ୍ଚଳରେ ଏହି ବାହନ ପହଞ୍ଚିବ ସେହି ଅଞ୍ଚଳରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଜମି ପଟ୍ଟା ବଣ୍ଟନ ସହ ରାସନ କାର୍ଡ ବଣ୍ଟନ ଓ ବିଭିନ୍ନ ଉପଭୋକ୍ତାଙ୍କ ମୌଳିକ ଅଧିକାର ଗୁଡିକ ଉପଲବ୍ଧ କରାଇବେ। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରେଇବେ ବୋଲି ବିଡ଼ିଓ ପ୍ରୀତିରଞ୍ଜନ ରଥ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.