ଉଦଘାଟିତ ହେଲା ‘କଲେକ୍ସନ-୩୦’ ସମୂହ ଚିତ୍ରକଳା ପ୍ରଦର୍ଶନୀ

ଏହି ପ୍ରଦର୍ଶନୀ ଯୁବ ଚିତ୍ରଶିଳ୍ପୀ ମାନଙ୍କୁ ନୂଆ ଶୈଳୀରେ ଆଗକୁ ଆଣିବାରେ ସହାୟକ ହେବ, କହିଲେ ଅତିଥି

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ‘କଲେକ୍ସନ-୩୦’ ନାମକ ଏକ ବିଶିଷ୍ଟ ସମୂହ ଚିତ୍ରକଳା ପ୍ରଦର୍ଶନୀ ବଲାଙ୍ଗୀରର ରୁଗୁଡ଼ି ଢିପା ସ୍ଥିତ ଓଡ଼ିଶା ଲଳିତ କଳା ଏକାଡେମୀ ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ଉତ୍ସାହଭରା ଓ ପାରମ୍ପରିକ ଢଙ୍ଗରେ ଉଦଘାଟିତ ହୋଇଯାଇଛି। ଓଡ଼ିଶାର ବଲାଙ୍ଗୀର, ବରଗଡ଼, ଝାରସୁଗୁଡା, ସୁବର୍ଣ୍ଣପୁର ଓ ଭବାନୀପାଟଣା ଜିଲ୍ଲାରୁ ମନୋନୀତ ୯ ଜଣ ଯୁବ ଚିତ୍ରଶିଳ୍ପୀଙ୍କ ମୋଟ ୩୫ଟି କଳାକୃତି ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି। ବରଗଡ଼ ଜିଲ୍ଲାର ଶିଳ୍ପୀ ଶ୍ରୀ କେଦାର ନାଏକଙ୍କ ୪ଟି ଜଳରଙ୍ଗ ଚିତ୍ରକଳା ଏଥିରେ ଦର୍ଶକଙ୍କ ମଧ୍ୟରେ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ପ୍ରଦର୍ଶନୀର ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଚିତ୍ରଶିଳ୍ପୀ ଶ୍ରୀ ବାସୁଦେବ ମେହେର ଓ ବଲାଙ୍ଗୀର ଜିଲ୍ଲା (ଡ଼ି.ସି.ଓ) ଶ୍ରୀ ରଶ୍ମି ରଞ୍ଜନ ମିଶ୍ର ଉପସ୍ଥିତ ଥିଲେ। ସେମାନେ ଯୁବଶିଳ୍ପୀଙ୍କ ଚିତ୍ରକଳାକୁ ପରିଦର୍ଶନ କରି ତାଙ୍କ କୌଶଳ, ଭାବନା ଓ ସୃଜନାତ୍ମକତାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ପ୍ରଦର୍ଶନୀ ଦ୍ୱାରା ଏକ ନୂଆ ରୂପରେ ଏକ ନୂତନ ଶୈଳୀର ଯୁବଶିଳ୍ପୀମାନେ ଓଡ଼ିଶାର କଳା କ୍ଷେତ୍ରକୁ ଆଗକୁ ଆସିବେ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଥିଲେ।ଏହି ପ୍ରଦର୍ଶନୀ ୨୨ ଜୁନ ୨୦୨୫ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୧୧ ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନାର୍ଥୀଙ୍କ ପାଇଁ ଖୋଲା ରହିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.