ମଦ ବନାମ ପରକୀୟା ପ୍ରୀତି : ସ୍ତ୍ରୀର ଟାଙ୍ଗିଆ ମାଡ଼ରେ ସ୍ବାମୀର ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଂଚଳରେ ସୋମବାର ଜଣେ ସ୍ତ୍ରୀ ଏକ ଟାଙ୍ଗିଆରେ ନିଜ ସ୍ବାମୀଙ୍କୁ ଆକ୍ରମଣ କରିଥିଲେ। ମଙ୍ଗଳବାର ଗୁରୁତର ସ୍ବାମୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଝାମ୍ପି ଗ୍ରାମର ପ୍ରଶାନ୍ତ କହଁର ସବୁବେଳେ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀ ଅହଲ୍ୟାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲେ। ୬ଟି ପୁତ୍ର ସନ୍ତାନଙ୍କୁ ଧରି ଅହଲ୍ୟା ବହୁ କଷ୍ଟରେ ଜୀବନ ବିତାଉଥିଲେ । ପ୍ରଶାନ୍ତ ପରକୀୟା ପ୍ରୀତିରେ ମଧ୍ୟ ଜଡ଼ିତ ଥିବା ଅଭିଯୋଗ ହେଉଥିଲା । ଏହି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟ ସମୟରେ ବଚସା ହେଉଥିଲା । ପୁଣି ଝଗଡ଼ା ହେବାରୁ ପ୍ରଶାନ୍ତ ନିଶାସକ୍ତ ଅବସ୍ଥାରେ ଏକ ଟାଙ୍ଗିଆ ଧରି ସ୍ତ୍ରୀ ଅହଲ୍ୟାଙ୍କୁ ହାଣିବା ପାଇଁ ଗୋଡାଇ ଥିଲେ । ତେବେ ଅହଲ୍ୟା ଟାଙ୍ଗିଆ ଛଡ଼ାଇ ପ୍ରଶାନ୍ତଙ୍କୁ ଚୋଟ ପକାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଗାଡ଼ିରେ ନେଇ ଖଜୁରୀପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ପ୍ରଶାନ୍ତର ମୃତ୍ୟୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ପୁଲିସ । ଏ ନେଇ କେଶ ନଂ ୧୩୮/୨୫ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଛି ପୁଲିସ । ସାଇଣ୍ଟିଫିକ୍ ଟିମ୍ ଘଟଣାର ଛାନବିନ କରିଛନ୍ତି । କିଛି ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଥିବା ବିଷୟ ଥାନା ଅଧିକାରୀ ଚାପଧାରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.