ସମାଜବାଦୀ ପାର୍ଟିର ଅଭିଯୋଗ – ଓଡ଼ିଶାରେ ମହିଳା ହିଂସା ଓ ଗଣଦୁଷ୍କର୍ମ  ଅଣାୟତ; ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ

ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଓଡ଼ିଶା ନିନ୍ଦିତ ହୋଇଛି। ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଜଣେ କଲେଜ ପଢୁଆ ଝିଅଙ୍କୁ ୧୦ ଜଣ ଦୁଷ୍କର୍ମ କରିବା ସାରା ଦେଶରେ ଓଡ଼ିଶାର ଆଇନଶୃଙ୍ଖଳା  ବ୍ୟବସ୍ଥାକୁ ପଦାରେ ପକାଇଛି। ଗୋପାଳପୁର ଗଣଦୁଷ୍କର୍ମ, କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଗଣଦୁଷ୍କର୍ମ ଓ ହତ୍ୟା, କଟକର ବାରଙ୍ଗ ଓ ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ୍‌ରେ  ହୋଇଥିବା ଲୋମହର୍ଷଣକାରୀ ଗଣଦୁଷ୍କର୍ମ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରତିଦିନ ରାଜ୍ୟରେ ୧୫ରୁ ଅଧିକ ମହିଳା, ନାବାଳିକା ଗଣଦୁଷ୍କର୍ମର ଶିକାର ହେଉଛନ୍ତି।

ଏହି ନିର୍ଲଜ ଉପଲବ୍ଧି ପାଇଁ ରାଜ୍ୟ ସରକାର ଉତ୍ସବ ପାଳନ କରୁଛନ୍ତି ବୋଲି ଅଭିଯୋଗ କରିଛି ସମାଜବାଦୀ ପାର୍ଟି। ଓଡ଼ିଶାରେ ମହିଳା ହିଂସା ଓ ଗଣଦୁଷ୍କର୍ମ  ଅଣାୟର ସ୍ଥିତିରେ ପହଞ୍ଚିଛି ଓ ରାଜ୍ୟର ମହିଳାମାନେ ସଂପୂର୍ଣ ଅସୁରକ୍ଷିତ ବୋଲି  କହି ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ  ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ପ୍ରତିଦିନ ୧୫ରୁ ଅଧିକ ମହିଳା ଓ ନାବାଳିକା ଗଣଦୁଷ୍କର୍ମ ଓ ପାଶବିକ ଅତ୍ୟାଚାରର ଶିକାର ହେଉଥ‌ିବା ବେଳେ ଡବଲ ଇଞ୍ଜିନ ବିଜେପି ସରକାର ନିଜର ଉପଲବ୍ଧର ବହସ୍ପଟ ମାରୁଛି।

ସାରା ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ମହିଳାମାନଙ୍କ ପ୍ରତି ଘଟୁଥ‌ିବା ଅପରାଧ ସମସ୍ତ ଜାତୀୟ ରେଳର୍ଜକୁ ଭାଙ୍ଗିଛି ବୋଲି ଉଲ୍ଲେଖ କରି ଏହା ଡବଲ ଇଞ୍ଜିନ  ସରକାରର ସବୁଠାରୁ ବଡ଼ ସଫଳତା କି ବୋଲି ସେ କଟାକ୍ଷ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପରିବର୍ତ୍ତେ  ଉତ୍ସବ ପାଳନ କରିବା ଲଜ୍ଜାଜନକ ବୋଲି ସେ କହିଛନ୍ତି।

ଯେଉଁ ରାଜ୍ୟ ନିଜର ସଂସ୍କୃତି, ଶାନ୍ତି ଓ ପର୍ଯ୍ୟଟନ ସ୍ଥଳୀ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ, ସେହି ଓଡ଼ିଶା ମହିଳାଙ୍କ ବିରୁଦ୍ଧରେ ହେଉଥ‌ିବା ଜଘନ୍ୟ ଅପରାଧ ପାଇଁ ବାରମ୍ବାର ଶିରୋନାମାରେ ରହିବା ଲଜ୍ଜାକର ଓ ଦୁର୍ଭାଗ୍ୟଜନକ।ଏସବୁ ଘଟଣା କେବଳ ଅପରାଧ ନୁହେଁ, ଆମ ସମାଜର ନୈତିକ ଅଧୋପତନ ଓ ପ୍ରାଶାସନିକ ବିଫଳତାର ଏକ ପୀଡ଼ାଦାୟକ ଚିତ୍ର ଉପସ୍ଥାପନ କରୁଛି।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ର ତଥ୍ୟକୁ ଅନୁଶୀଳନ କଲେ ଜଣାଯାଏ ଯେ ଓଡ଼ିଶାରେ ପ୍ରତିବର୍ଷ ବଳାତ୍କାର ଘଟଣା ପୂର୍ବାପେକ୍ଷା ବୃଦ୍ଧି ହେଉଛି; କିନ୍ତୁ ଦୋଷୀ ସାବ୍ୟସ୍ତ ହାର ହ୍ରାସ ପାଉଛି। ୨୦୨୨ରେ ମହିଳାଙ୍କ ବିରୋଧରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ଅପରାଧ ହାର ୧୦୩ ରହିଥିଲା, ଯାହା ଜାତୀୟ ହାର ୬୬.୪ ଅପେକ୍ଷା ବହୁତ ଅଧିକ; କିନ୍ତୁ ଦୋଷୀ ସାବ୍ୟସ୍ତ ହାର ଥିଲା ୧୦ ଶତାଂଶରୁ କମ୍।

ଦୁଃଖର କଥା ଯେ ଏଭଳି ଏକ ଗୁରୁତର ସମସ୍ୟାକୁ ସରକାର ଯେଭଳି ଗୁରୁତ୍ବ ଦେଇ ପ୍ରତିକାର ମୂଳକ ପଦକ୍ଷେପ ଗ୍ରହଣ କରିବା କଥା ତାହା ନକରି ଏକବର୍ଷ ପୂର୍ତ୍ତି ଉତ୍ସବ ପାଳନ କରି ଓଡିଶାର ନାରୀ ସମାଜକୁ ଅପମାନିତ କରିଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଦୃଷ୍ଟିରୁ ଇସ୍ତଫା ଦାବି   କରିଛି ସମାଜବାଦୀ ପାର୍ଟି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.