ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେଇ ସେମାନଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଲାଗୁ ହୋଇଛି ଅନ୍ତୋଦୟ ଗୃହ ଯୋଜନା। ତେବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଅନ୍ତୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ମିଳିବା ପରେ ହିତାଧିକାରୀଙ୍କୁ ଦ୍ବିତୀୟ କିସ୍ତି ଟଙ୍କା ମିଳୁନାହିଁ। ଫଳରେ ଘର ନିର୍ମାଣ କାମ ଆଗେଇ ପାରୁନାହିଁ, ହିତାଧିକାରୀମାନେ ନିରାଶ ହୋଇ ପଡ଼ିଛନ୍ତି। ସୂଚନା ଅନୁସାରେ, ଗତ ମାର୍ଚ୍ଚ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲ୍ଲାରୁ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ପୋଜନାରେ ଲାଞ୍ଜିଗଡ଼ ବ୍ଲକର ୩୯୯ ଜଣ ହିତାଧିକାରୀଙ୍କ ନାମ ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ୩୭୦ ଜଣ ହତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ବାବଦରେ ୪୦ ହଜାର ଟଙ୍କା ଲେଖାଏଁ ଅଗ୍ରିମ ଜମା ହୋଇଥିଲା, ୨୯ ଜଣ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ପ୍ରଥମ କିସ୍ତି ଟଙ୍କା ମିଳିନାହିଁ। ପ୍ରଥମ କିଛି ଟଙ୍କା ପାଇଥିବା ହିତାଧିକାରୀମାନ ଇଟା, ସିମେଣ୍ଟ, ବାଲି, ଚିପ୍ସ, ଲୁହା ଛଡ଼ ଆଦି ନିର୍ମାଣ ସାମଗ୍ରୀ ଆଦି ଆଣି ଘର ନିର୍ମାଣ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଅନେକ ହିତାଧିକାରୀଙ୍କ ଘର ସ୍ଲାଭ ଲେବଲ୍ ପର୍ଯ୍ୟନ୍ତ ହୋଇଛି। କିନ୍ତୁ ଦ୍ବିତୀୟ କିସ୍ତି ଟଙ୍କା ଜମା ହୋଇ ନଥିବାରୁ ଘର ନିର୍ମାଣ କାମ ଆଗେଇ ପାରୁନାହିଁ। କିଛି ଜଣ ହିତାଧିକାରୀ ନିଜ ପୁରୁଣା ଘର ଭାଙ୍ଗି ନିର୍ମାଣ କରୁଥିବା ବେଳେ ଆଗକୁ ବର୍ଷା ମାଡ଼ି ଆସୁଛି। ବର୍ଷା ପୂର୍ବରୁ ଘର ନିର୍ମାଣ ନ ହେଲେ ଦୁର୍ଦ୍ଦଶା ଭୋଗ କରିବେ ହିତାଧିକାରୀ। ସେହିପରି ୪ ମାସ ପୂର୍ବରୁ କାମ ସମ୍ପୂର୍ଣ୍ଣ କଲେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ ହଜାର ଟଙ୍କା ବୋନସ ଓ ୬ ମାସରେ କାମ ସମ୍ପୂର୍ଣ୍ଣ ହେଲେ ୧୦ ହଜାର ଟଙ୍କାର ବୋନସ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏପରି ସ୍ଥିତିରେ ସେମାନେ ଏହି ବୋନସ ଟଙ୍କା ବି ହରାଇବାର ଆଶଙ୍କା ରହିଛି। ଏବେ ଅନ୍ତୋଦୟ ଗୃହ ଯୋଜନାର ୱେବ୍ସାଇଟ୍ ଖୋଲୁନଥିବାରୁ ଦୃତୀୟ କିସ୍ତି ଟଙ୍କା ଜମା ହୋଇପାରୁ ନଥିବା ବିଭିନ୍ନ ପଞ୍ଚାୟତ କର୍ତ୍ତୃପକ୍ଷ ତଥା ବ୍ଲକ୍ ଗୃହ ପ୍ରକଳ୍ପ ଦାୟିତ୍ଵରେ ଥିବା କର୍ମଚାରୀ କହୁଛନ୍ତି। ତୁରନ୍ତ ଦ୍ଵିତୀୟ କିଛି ଟଙ୍କା ଯୋଗାଇ ଦେବାକୁ ହିତାଧିକାରୀ ମାନେ ଦାବି ହେଉଛି।