ନର୍ଲା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରଥଯାତ୍ରା ପାଇଁ ରବିବାର ଅପରାହ୍ନରେ ସଭାପତି ତଥା କର୍ତ୍ତା ଚିରଞ୍ଜିବୀ ଗୌଡିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୨୦ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ରଥଯାତ୍ରା କିଭଳି ଆହୁରି ଶୃଙ୍ଖଳିତ ଭାବରେ ବାହୁଡ଼ା ଯାତ୍ରା ଯାଏଁ ଅନୁଷ୍ଠିତ ହେବ ସେ ନେଇ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ବାରମ୍ବାର ତାଗିଦ କରିବା ସତ୍ତ୍ୱେ ନର୍ଲା ରଥ ଯାତ୍ରାରେ ମଦୁଆଙ୍କ ସଂପୃକ୍ତିକୁ ନେଇ କ୍ଷୋଭ ପ୍ରକାଶ ପାଇବା ସହ ଚଳିତ ବର୍ଷ ଏହାକୁ କଡ଼ା କଡି କରିବା ପାଇଁ ସଭାପତି ଶ୍ରୀ ଗୌଡ଼ିଆ ସମସ୍ତ୍ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ଏହା ସହ ଦୀର୍ଘ ୨୦ ବର୍ଷ ହେଲା ସିନିଅର ସଦସ୍ୟ ମାନେ ଦାୟୀତ୍ବ ନେଇ ରଥଯାତ୍ରା ପରିଚାଳନା କରି ଆସୁଛନ୍ତି। ଏଣୁ ଚଳିତ ବର୍ଷରୁ ଯୁବ ପିଢୀ ଆଗେଇ ଆସି ଦାଇତ୍ୱ ନିଅନ୍ତୁ ବୋଲି ସଭାପତି ଶ୍ରୀ ଗୌଡିଆ ଆହ୍ବାନ ଦେଇଥିଲେ। ଏଥିପାଇଁ ଯୁବ ନେତୃତ୍ୱ ଦୀପୁ ପାତ୍ର, ମଣ୍ଟୁ ପୁଝାରୀ ଓ ଟୁକୁନା ପାତ୍ରଙ୍କ ନେତୃତ୍ୱରେ ୩୦ ଜଣ ଯୁବକଙ୍କୁ ନେଇ ଏକ ଶୃଙ୍ଖଳା କମିଟି ଗଠିତ ହେଇଥିଲା। ଶୃଙ୍ଖଳିତ ଭାବରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ପରିଚାଳନା ପାଇଁ ଯୁବ ଗୋଷ୍ଠୀଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିଲା। ରଥ ଯାତ୍ରାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଧାରା ବିବରଣୀ କରାଯିବା ପାଇଁ ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା। ଗଜପତି ଭାବରେ ନର୍ଲାର ବରିଷ୍ଠ ନାଗରିକ ଚନ୍ଦ୍ର ଶେଖର ପୁଝାରୀ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଛେରା ପହଁରା କରିବେ ଓ ଭକ୍ତ ଚୁଳମଣି ଗୌଡିଆ ତାଙ୍କୁ ସହଯୋଗ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ପହଣ୍ଡି ଓ ରଥଟଣା ସମୟ ଗତ ବର୍ଷ ଭଳି ରହିବ ବୋଲି ସ୍ଥିରୀକୃତ ହୋଇଥିବା ସୂଚନା ମିଳିଛି। ଗତ ବର୍ଷ ଭଳି ଦୁଇଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେବ। ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୋହନ ଭଟ୍ଟ, ମଧୁସୂଦନ ରାଉତ, ସନ୍ତୋଷ ନାଏକ, ସୁଧୀର ନାଏକ, ସମୀର ପୁଝାରୀ, ଡମ୍ବରୁ ବେହେରାଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.