‘ପରିବାରର ସହଯୋଗ ଲେଖକକୁ ସୃଜନ ସ୍ଵାଧୀନତା ପ୍ରଦାନ କରେ’

କଥାକାର ପବିତ୍ର ଓ କବି ସୁଚିତ୍ରାଙ୍କୁ ‘ଅକ୍ଷର ଦମ୍ପତ୍ତି ସମ୍ମାନ-୨୦୨୫

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଜୀବନର ବାସ୍ତବତା ହେଉଛି ସଂସାର ପଛରେ ଦୌଡ଼ିବା ଓ ଏହି ଦୌଡ଼ ଭିତରୁ ଲେଖକଟିଏ ବାଦ୍ ଯାଏନି। ଉତ୍ତମ ପାରିବାରିକ ସମ୍ପର୍କ ଓ ସହଯୋଗ ଲେଖକ‌କୁ ଉନ୍ନତ ସୃଜନ ସ୍ଵାଧୀନତା ପ୍ରଦାନ କରିଥାଏ ବୋଲି ‘ପ୍ରଜାପତି’ ସାହିତ୍ୟ ଶାଖା ‘ଅକ୍ଷର’ ଆୟୋଜିତ ‘ସୃଜନ ସମ୍ପର୍କ’ କାର୍ଯ୍ୟକ୍ରମରେ ପ୍ରଥମ ‘ଅକ୍ଷର ଦମ୍ପତ୍ତି- ୨୦୨୫’ ସମ୍ମାନ ପ୍ରଦାନ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

‘ପ୍ରଜାପତି’ର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବକୁ ଉଦ୍‌ଘାଟନ କରି ଉଦ୍‌ଘାଟକ ବାଲେଶ୍ବର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସଂଜୟ କୁମାର ଦେ କହିଲେ ଯେ ଲେଖକଟିଏ ସର୍ବଦା ଗତାନୁଗତିକ ରାସ୍ତାକୁ ପରିବର୍ତ୍ତନ କରି ନୂତନ ସର୍ଜନା ନିମିତ୍ତ ମାନସିକ ସଂଘର୍ଷ କରୁଥାଏ। ତେଣୁ ଉତ୍ତମ ପାରିବାରିକ ପରିବେଶ ଲେଖକକୁ ଉନ୍ନ‌ତ ସୃଷ୍ଟି ନିମିତ୍ତ ସହଯୋଗ କରେ ।

ଲେଖକ ଦମ୍ପତ୍ତି କଥାକାର ପବିତ୍ର ପାଣିଗ୍ରାହୀ ଓ କବି ସୁଚିତ୍ରା ପାଣିଗ୍ରାହୀ ଏକ ଭାବମୟ ପରିବେଶ ଭିତରେ ପ୍ରଥମ ‘ଅକ୍ଷର ଦମ୍ପତ୍ତି – ୨୦୨୫’ ସମ୍ମାନ ଗ୍ରହଣ କରି ନିଜ ନିଜର କଥା ରଖିଥିଲେ। କଥାକାର ଶ୍ରୀ ପାଣିଗ୍ରାହୀ କହିଲେ ଯେ ଶାଶ୍ବତ ପତିପତ୍ନୀ ସମ୍ପର୍କ ନିଜ ଭିତରେ ଥିବା ସୃଜନାତ୍ମକ ଭାବନାକୁ ଅଧିକ ଗତିଶୀଳ କରିଥାଏ ଓ ଲେଖକଟିଏ ଅନେକ ସୁନ୍ଦର ସୃଷ୍ଟି ପାଠକଙ୍କୁ ଉପହାର ଦେଇପାରେ । ନିଜ କଥାରେ କବି ଶ୍ରୀମତୀ ପାଣିଗ୍ରାହୀ କହିଲେ, “ଏହି ସମ୍ମାନ ନିଜ ଭିତରେ ଥିବା ସୃଜନକଳାକୁ ଉତ୍ସାହିତ କରି ପରିପ୍ରକାଶ କରିବାରେ ନିଶ୍ଚୟ ସହଯୋଗ କରିବ।”

ସ୍ୱତନ୍ତ୍ର ଅତିଥି ଭାବେ କବି ଶ୍ରୀଦେବ, କଥାକାର ଓ କବି ଗଙ୍ଗାଧର ବିଶ୍ଵାଳ, କବି ଓ ସଂପାଦକ କୃଷ୍ଣ କୁମାର ମହାନ୍ତି, କବି ଶୁଭେନ୍ଦୁ ଦାସ, କବି ଉତ୍ପଳ ମହାନ୍ତି, ପାଠକ ଓ ଆଲୋଚକ ଶଶିରଂଜନ ମଲ୍ଲିକ, ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, କବି ଅଭୟ ଦାସ, ଔପନ୍ୟାସିକ ଚିତ୍ତରଞ୍ଜନ ଚିରଞ୍ଜିତ ନିଜ ନିଜ କଥାରେ ଉପଯୁକ୍ତ ପାରିବାରିକ ବାତାବରଣ ଲେଖକକୁ ଉଚ୍ଚ ଚିନ୍ତା କରିବାରେ ସହଯୋଗ କରେ ବୋଲି କହିଥିଲେ ।

‘ଅକ୍ଷର’ର ଆବାହକ ବିପ୍ଳବ ମହାପାତ୍ର ସ୍ଵାଗତ କଥା ରଖୁଥିବା ବେଳେ ସଂପାଦକ ରାଜେଶ ଗିରି ଉତ୍ସବ କଥା ରଖିଥିଲେ । ସଂଯୋଜକ କବି ମଧୁସୂଦନ ମିଶ୍ର ‘ ସୃଜନ ସମ୍ପର୍କ’ ଆୟୋଜନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସରସ୍ଵତୀ ଭୋଇ, ପ୍ରତିମା ତ୍ରିପାଠୀ, ରଶ୍ମି ସ୍ୱାଇଁ, ସୁଜାତା ଦାସ ଓ ରଶ୍ମିତା ଆଚାର୍ଯ୍ୟ ଲେଖକ ଦମ୍ପତିକୁ ‘ଅକ୍ଷର ଉପହାର’ ପ୍ରଦାନ କରିଥିଲେ ଥିଲେ। ପାର୍ଥସାରଥୀ ସାହୁ ଓ ଅମରଜିତ ଦାସ ଲେଖକୀୟ ପରିଚୟ ପଠନ କରିଥିବା ବେଳେ ଉପସ୍ଥିତ ସାହିତ୍ୟପ୍ରେମୀଙ୍କ ତରଫରୁ ଲେଖକ ଦମ୍ପତ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶେଷରେ ସନ୍ତୋଷ ଦଳେଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ କବି ଶ୍ରୀ ଦାସ ଚଳିତବର୍ଷ ଠୁ ‘ଅକ୍ଷର ଦମ୍ପତ୍ତି ସମ୍ମାନ’ ପ୍ରଦାନର ସୂଚନା ପ୍ରଦାନ କରିଥିଲେ। ଏହି ଅଭିନବ ସାରସ୍ବତ ସମାଗମରେ ସହରର ବୁଦ୍ଧିଜୀବୀ, ସାହିତ୍ୟିକ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.