ରାଜ୍ୟସ୍ତରୀୟ ଜୟନ୍ତୀରେ କଥାକାର କନ୍‌ହେଇଲାଲଙ୍କ ପ୍ରତି ସାରସ୍ବତ ଶ୍ରଦ୍ଧାଞ୍ଜଳି : ଗାଳ୍ପିକ ସରୋଜ ବଳଙ୍କୁ କନହେଇ କଥା ପୁରସ୍କାର ପ୍ରଦାନ

• ୧୯୭୫ ସାଲରେ ମାତ୍ର ୨୮ ବର୍ଷ ବୟସରେ ହୋଇଥିଲା ଦେହାବସାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଅତ୍ୟନ୍ତ ସ୍ବଳ୍ପ ଜୀବନକାଳ ମଧ୍ୟରେ ଓଡ଼ିଆ ସାହିତ୍ୟରେ ନିଜର ଅମ୍ଳାନ ଛାପ ଛାଡ଼ି ଯାଇଥିବା କଥାକାର କନ୍‌ହେଇଲାଲ ଦାସଙ୍କର ୭୮ତମ ଜୟନ୍ତୀ ସମାରୋହ ଓଡ଼ିଶା ସାହିତ୍ୟ ଏକାଡେମୀ ତଥା ‘କନ୍‌ହେଇଲାଲ ଦାସ ସ୍ମୃତି ସଂସଦ’ର ମିଳିତ ସହଯୋଗରେ ଭୁବନେଶ୍ବରର ଗୀତଗୋବିନ୍ଦ ଭବନରେ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ନିଜର ସ୍ବାଗତ ଅଭିଭାଷଣରେ କହିଲେ ଯେ କନ୍‌ହେଇଲାଲ ସବୁବେଳେ ନିଜକୁ ସ୍ବପ୍ନସମ୍ରାଟ ବୋଲି କହୁଥିଲେ। ଅଜସ୍ର ସାହିତ୍ୟିକ ସମ୍ଭାବନା ଥିବା ଏହି ଅନନ୍ୟ ପ୍ରତିଭାଧର ଗାଳ୍ପିକ ମାତ୍ର ୨୮ ବର୍ଷ ବୟସରେ ଆମମାନଙ୍କ ଠାରୁ ଚିର ବିଦାୟ ନେଇଗଲେ।

ମୁଖ୍ୟ ଅତିଥି ବର୍ଷୀୟାନ୍ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ କହିଲେ ସେ କନ୍‌ହେଇଙ୍କ ଠାରୁ ବୟସରେ ବଡ଼; ତାଙ୍କର ଜନ୍ମ ୧୯୩୩ ମସିହାରେ ଏବଂ କନ୍‌ହେଇଙ୍କର ୧୯୪୭ ମସିହାରେ। ସେ ସ୍ବାଧୀନତା ପରେ ଜନ୍ମ ହୋଇଥିବାରୁ ତାଙ୍କର ଚିନ୍ତାଧାରା ଭିନ୍ନ ପ୍ରକାର ଥିଲା, ଯାହା ତାଙ୍କ ଗଳ୍ପରେ ପ୍ରତିଫଳିତ ହେଉଥିଲା। ସେ ତାଙ୍କ ଯୁଗର ଜଣେ ଦିଗବାରେଣି ଥିଲେ।

ମୁଖ୍ୟ ବକ୍ତା ଅଜୟ ସ୍ବାଇଁ କନ୍‌ହେଇଙ୍କ ସାରସ୍ବତ ଜୀବନର କେତେକ ସ୍ମୃତିଚାରଣ କରିଥିଲେ। ସେ ମଧ୍ୟ କହିଲେ ଯେ ଜୀବନର ଅନ୍ତିମ ପର୍ଯ୍ୟାୟରେ କନ୍‌ହେଇ ଅନେକ ଦୁଃଖ ଓ ଯନ୍ତ୍ରଣାର ସାମନା କରିଥିଲେ। ତଥାପି ସେ ନିର୍ଭୟରେ ଓଡ଼ିଆ ଗଳ୍ପକୁ ଗୋଟିଏ ଦିଗ ଦେଇଥିଲେ। କିନ୍ତୁ ନିଜର ଅଧୁରା ସ୍ବପ୍ନ ନେଇ ସେ ହଠାତ୍ ଚାଲିଗଲେ। ଭୋଗରାଇର ବିଧାୟକ ତଥା ଗାଳ୍ପିକ ଗୌତମବୁଦ୍ଧ ଦାସ କହିଲେ ଯେ ପିଲାଦିନୁଁ କନ୍‌ହେଇଲାଲଙ୍କ ରଚନା ପଢ଼ି ସେ ଉଦ୍‌ବୁଦ୍ଧ ହୋଇଛନ୍ତି। କନ୍‌ହେଇଙ୍କ ଜୀବଦ୍ଦଶାରେ ତାଙ୍କର ଗୋଟିଏ ମଧ୍ୟ ପୁସ୍ତକ ପ୍ରକାଶିତ ହୋଇନଥିଲା ଏବଂ ସେ କେବଳ ପତ୍ରପତ୍ରିକାରେ ହିଁ ଲେଖୁଥିଲେ। ସମ୍ମାନିତ ଅତିଥି କବୟିତ୍ରୀ ଅପର୍ଣ୍ଣା ମହାନ୍ତି କହିଲେ ଯେ ସାହିତ୍ୟ ତାଙ୍କୁ ଅସମ୍ଭବ ଦୁଃଖରୁ ମୁକ୍ତି ଦେଇଥିବା କଥା କନ୍‌ହେଇ ନିଜେ ସ୍ବୀକାର କରିଥିଲେ।

ଏହି ଅବସରରେ ଯୁବ ଗାଳ୍ପିକ ସରୋଜ ବଳଙ୍କୁ ‘କନ୍‌ହେଇ କଥା ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। କନ୍‌ହେଇଲାଲ ସ୍ମୃତି ସଂସଦର ସଭାପତି ସୁବାସ ଚନ୍ଦ୍ର ପାତ୍ର ଏଥିରେ ଅଧ୍ୟକ୍ଷତା କରିଥିବା ସମ୍ପାଦକ ଉତ୍କଳ ମହାନ୍ତି ସମ୍ପାଦକୀୟ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସାହିତ୍ୟ ଏକାଡେମୀର ସହ ସମ୍ପାଦକ ସଞ୍ଜୟ କୁମାର ଛୁଆଳସିଂ ମଞ୍ଚ ଆହ୍ଵାନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି କୃଷ୍ଣ କୁମାର ମହାନ୍ତି ମାନପତ୍ର ପାଠ କରିଥିବା ବେଳେ ପୁରସ୍କୃତ ପ୍ରତିଭା ସରୋଜ ବଳ କନହେଇଲାଲ ଙ୍କ ଗପ ପଢି ସେ ଅନୁପ୍ରାଣିତ ହୋଇଥିବା କଥା ସ୍ଵୀକାର କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସମ୍ପାଦକ ସଞ୍ଜୟ କୁମାର ଛୁଆଳସିଂ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ବରେଣ୍ୟ ଲେଖକ, ସାମ୍ବାଦିକ, ବୁଦ୍ଧିଜୀବୀ ଓ କନହେଇପ୍ରେମୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.