ତିନିଦିନ ପରେ ମାଟିତଳୁ କଢାହେଲା ଶବ
ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଶବ କହିବ ସତ! ତିନିଦିନ ପରେ ମାଟିତଳୁ ପୋଷ୍ଟମର୍ଟମ ପାଇଁ କଢା ହେଲା ପୋତା ଯାଇଥିବା ଶବ। ଜଣେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ମହିଳା ରୋଗୀଙ୍କ ମୃତ୍ୟୁକୁ ନେଇ ଅଭିଯୋଗ ହେବା ପରେ, ଏମିତି ପଦକ୍ଷେପ ନେଇଛି ଟାଉନ ପୋଲିସ। ଗତ ୨୩ ତାରିଖ ଦିନ ସୋନପୁର ଜିଲ୍ଲା ତରଭା ଥାନା ରାଣୀ ସର୍ଡ଼ା ଗାଁର ଅକ୍ଷୟ କୁମାର ନାଗ, ତାଙ୍କ ସ୍ତ୍ରୀ ସୌଦାମିନୀ ନାଗଙ୍କୁ ବଲାଙ୍ଗିର ସହର ମାଲ ପଡାରେ ଥିବା ମଙ୍ଗଳମ୍ ହେଲଥ କେୟାର ହସପିଟାଲକୁ ଆଣିଥିଲେ। ସର୍ଜରୀ ଡାକ୍ତର ସୁବ୍ରତ ପ୍ରଧାନ, ସୌଦାମିନୀଙ୍କ ପେଟରେ ଷ୍ଟୋନ ହୋଇଛି, ଆୟୁଷ୍ମାନ କାର୍ଡରେ ଲେଜର ଅପରେସନ କରାଯିବ ବୋଲି କହିଥିଲେ। କିନ୍ତୁ ଲେଜର ଅପରେସନ ବଦଳରେ ନର୍ମାଲ ଅପରେସନ କରିଦେଲେ।ଅପରେସନ ପରେ ସୌଦାମିନୀଙ୍କ ଅବସ୍ଥା ଗୁରୁତର ହୋଇଗଲା। ସଙ୍ଗେ ସଂଗେ ଆମ୍ବୁଲାନ୍ସ କରି, ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲକୁ ପଠାଇଦେଲେ ଡାକ୍ତର। ବରଗଡ଼ରେ ସୌଦାମିନୀଙ୍କୁ ମୃତ ଘୋଷଣା କଲେ ସେଠାକାର ଡାକ୍ତର। ନିରୀହ ପରିବାର ଶବକୁ ଆଣି କାନ୍ଦ ବୋବାଳି କରି ମାଟିରେ ପୋତିଦେଲେ। କିନ୍ତୁ ପରେ ବନ୍ଧୁ ବାନ୍ଧବଙ୍କ ସହିତ କଥା ବାର୍ତା ପରେ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ, ସୌଦାମିନୀଙ୍କ ମୃତ୍ୟୁ ହୋଇଥିବା ନେଇ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୌଦାମିନୀଙ୍କ ସ୍ୱାମୀ। ଏପରିକି ସୌଦାମିନୀ ଙ୍କ କିଡ଼ନୀ କାଢି ନେଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ। ଟାଉନ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଶବର ପୋଷ୍ଟ ମୋର୍ଟମ ହୋଇନଥିଲା, ତେଣୁ ଆଜି ବଲାଙ୍ଗିର ଓ ସୋନପୁର ପୋଲିସ ରଣୀ ସର୍ଡ଼ା ଗାଁକୁ ଯାଇ ତିନିଦିନ ପରେ ଶବ କାଢ଼ିଲ ପୋଲିସ। ବ୍ୟବଚ୍ଛେଦ ପରେ ଜଣା ପଡିବ ମୃତ୍ୟୁର ପ୍ରକୃତ କାରଣ। ଏନେଇ ପୋଲିସ ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ, ମାମଲା ରୁଜୁ ହୋଇଛି। ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କାଯାଇଛି। ଡ଼ାକ୍ତରଖାନା ଓ ଡ଼ାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି ପରିବାର ଲୋକେ।