ଆନ୍ତଃଜିଲ୍ଲା ବାଇକ ଚୋରି ରାକେଟର ପର୍ଦ୍ଦାଫାଶ; ୯ ଦାମୀ ବାଇକ ଉଦ୍ଧାର, ୪ ଗିରଫ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ଏକ ଆନ୍ତଃଜିଲ୍ଲା ବାଇକ ଚୋରି ରାକେଟର ପର୍ଦ୍ଦାଫାଶ କରିଛି ଫୁଲବାଣୀ ଟାଉନ ଥାନା ପୁଲିସ। ୯ଟି ଦାମୀ ବାଇକ ଜବତ କରାଯିବା ସହ ୪ଜଣଙ୍କୁ ଗିରଫ କରାଯାଇଛି । ଜଣେ ନାବାଳକଙ୍କୁ ପଚରାଉଚରା କରାଯାଉଛି । ଅନ୍ୟ ଗିରଫମାନେ ହେଲେ ଟିକାବାଲି ଥାନା ବସ୍ତିଙ୍ଗିଆର ଦିଲ୍ଲୀପ କହଁର, ବାହାଡାପଦରର ବିକାଶ କହଁର, କଟିମାହାର ରୁଦ୍ର ମାଧବ ବଗର୍ତି ଓ ସଦର ଥାନା ତାଳପଡାର ଚନ୍ଦନ ଦିଗାଲ। ସୂଚନା ଅନୁସାରେ , ଗତ ୧୮ ତାରିଖରେ ଟାଉନ ଥାନା ଜିରିଙ୍ଗପଡ଼ା ଅଞ୍ଚଳର ସ୍ବର୍ଣ୍ଣ ବେହେରା ତାଙ୍କ ବାଇକ ଚୋରୀ ହୋଇଥିବା ନେଇ ଥାନାରେ ଏତଲା କରିଥିଲେ। ପୁଲିସ କେଶ ନଂ ୨୩୧/୨୫ରେ ଏକ ମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ ଏବଂ ଯାଞ୍ଚ ପରେ ଦିଲ୍ଲୀପ ଏବଂ ରୁଦ୍ରଙ୍କୁ ଅଟକ ରଖିଥିଲା ପୁଲିସ। ଏମାନଙ୍କୁ ପଚରାଉଚରା ପରେ ଏହା ପଛରେ ଏକ ରାକେଟ କାମ କରୁଥିବା ଜଣା ପଡିଥିଲା। ମିଳିଥିବା ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ୯ ଟି ଚୋରା ବାଇକ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ନାବାଳକକୁ ପଚରାଉଚରା କରିବା ସହ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା। ଏହି ବାଇକ ଗୁଡିକ ଫୁଲବାଣୀ ସହ ଗଞ୍ଜାମ, ଖୋର୍ଦ୍ଧା ଓ ଭୂବନେଶ୍ୱରରୁ ଚୋରୀ କରାଯାଇଥିବା ପୁଲିସ କହିଛି। ଗିରଫ ନାବାଳକ ଏହି ରାକେଟର ମାଷ୍ଟରମାଇଣ୍ଡ ଏବଂ ତାଙ୍କ ନାମରେ ପୂର୍ବରୁ ଭୂବନେଶ୍ୱରର ମୈତ୍ରୀ ବିହାର, ଚନ୍ଦ୍ରଶେଖରପୁର, ଇନଫୋସିଟି, ଲକ୍ଷ୍ମୀସାଗର ଓ ଖାରବେଳ ନଗର ଥାନାରେ ଅଭିଯୋଗ ରହିଥିବା ସ୍ଥାନୀୟ ଟାଉନ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଅତିରିକ୍ତ ଏସପି ବିଭୂତି ଭୂଷଣ ମହାପାତ୍ର। ଗିରଫମାନେ ଏହାଛଡ଼ା ଅନେକ ବାଇକ ଚୋରୀରେ ସମ୍ପୃକ୍ତ ଥିବା ଏବଂ ଏ ସମସ୍ତ ବାଇକ ଜବତ କରିବା ପାଇଁ ପୁଲିସ ପ୍ରୟାସ ଜାରୀ ରଖିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସପି। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ପି ସ୍ବରୂପ କିଶନ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.