ଫକୀରମୋହନ ବିଶ୍ୱବିଦ୍ୟାଳୟରେ ରଥଯାତ୍ରା: ଠାକୁରଙ୍କ ସମସ୍ତ ସେବାକାର୍ଯ୍ୟ କଲେ କୁଳପତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ପରିସର ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଆନନ୍ଦ ମହୋତ୍ସବରେ ପରିବର୍ତ୍ତିତ ହୋଇ ଯାଇଥିଲା। ବିଦ୍ୟା ଓ ଭକ୍ତିର ସମନ୍ୱୟରେ ଏହି ପବିତ୍ର ପର୍ବଟି ଭକ୍ତି, ଉତ୍ସାହ ଓ ଏକତାର ମହାନ ବାର୍ତ୍ତା ଦେଇଥିଲା।

ଠାକୁରଙ୍କ ନବଯୌବନ ବେଶ ଓ ନେତ୍ରୋତ୍ସବ ପରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ସେବକ ଭାବେ ଠାକୁରଙ୍କ ସମସ୍ତ ସେବାକାର୍ଯ୍ୟ ନିର୍ବାହ କରିଥିଲେ। ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଚାରିଦିଅଁଙ୍କ ବିଗ୍ରହକୁ ଗୋଟି ପହଣ୍ଡିରେ ଆଣି ଉତ୍ସାହ ଓ ଭକ୍ତିର ସହ ରଥରେ ବିରାଜମାନ କରାଇଥିଲେ।

ଘଣ୍ଟା-ଘଣ୍ଟା, ଶଙ୍ଖ, ମୃଦଙ୍ଗ ଓ ଆଲଟ ଚାମର ସହ ଅନୁଷ୍ଠିତ ରଥଯାତ୍ରାରେ ଛାତ୍ରଛାତ୍ରୀମାନେ ଭକ୍ତି ମୟ ଗୀତ ଓ ସଂକୀର୍ତ୍ତନ ଦ୍ୱାରା ସଂପୂର୍ଣ୍ଣ ପରିବେଶକୁ ଅତ୍ୟନ୍ତ ମନୋମୁଗ୍ଧକର ଭାବରେ ଭରି ଦେଇଥିଲେ।

ଏହି ଅବସରରେ ଭୋଗ ଅର୍ପଣ, ଛେରାପହଁରା ଓ ରଥ ଟାଣିବା ପର୍ବ ପାଳନ କରାଯାଇଥିଲା। ଏଥିସହ ବିଶ୍ୱବିଦ୍ୟାଳୟର ମାଉସୀ-ମା ମନ୍ଦିର ପର୍ଯ୍ୟନ୍ତ ରଥ ଯିବା ସମୟରେ ଭକ୍ତି ଓ ସାମୂହିକ ଗୀତାନୁଷ୍ଠାନ ପରିବେଶକୁ ଅନନ୍ୟ ରୂପ ଦେଇଥିଲା। ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ, ପ୍ରଫେସର ଦେବାଶିଷ ପାତ୍ର ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟରେ ଗଭୀର ଭାବେ ଅନୁପ୍ରେରଣାଦାୟୀ ବ୍ୟାଖ୍ୟା ପ୍ରଦାନ କରିଥିଲେ।

ଚତୁର୍ଦ୍ଧାମୂର୍ତ୍ତି ଓ ପ୍ରଭୁ ସୁଦର୍ଶନଙ୍କୁ ପରିସର ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ସ୍ଥାପନ କରି ଭୋଗ ପ୍ରସାଦ ବଣ୍ଟନ ସହ ଏହି ପବିତ୍ର ଘୋଷଯାତ୍ରାର ଶୁଭ ସମାପନ ହୋଇଥିଲା।

ପ୍ରକାଶଯୋଗ୍ୟ, ବିଶ୍ୱବିଦ୍ୟାଳୟରେ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବକୁ ପ୍ରତି ବର୍ଷ ଅତ୍ୟନ୍ତ ଉତ୍ସାହର ସହ ନୀତି ନିୟମ ସହ ସଂପାଦନ କରାଯାଇଥାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.