ଜୈବ ବିବିଧତା ଓ ପରିବେଶ ପରିବର୍ତ୍ତନ ଉପରେ ଜାତୀୟ ହ୍ୟାକାଥନରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ତୃତୀୟ ସ୍ଥାନ ଅଧିକାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଇଣ୍ଡିୟାନ୍ ହର୍ସସ୍ୟୁ କ୍ରାବ୍ ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଦଳ ଜୈବ ବିବିଧତା ସଂରକ୍ଷଣ ଓ ପରିବେଶ ପରିବର୍ତ୍ତନ ବିଷୟରେ ଅନୁଷ୍ଠିତ ଜାତୀୟ ହ୍ୟାକାଥନର ଅନ୍ତିମ ପର୍ଯ୍ୟାୟରେ ଗର୍ବର ସହିତ ତୃତୀୟ ସ୍ଥାନ ଅଧିକାର କରିଛି।

ଏହି ଗ୍ରାଣ୍ଡ ଫାଇନାଲ ବିଶ୍ୱ ବଙ୍ଗଳା କନଭେନସନ୍ ସେଣ୍ଟର, କୋଲକାତାରେ ଅନୁଷ୍ଠିତ ହୋଇଥିଲା, ଯାହା ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆଙ୍କ ୧୧୦ତମ ପ୍ରତିଷ୍ଠା ଦିବସ ଉତ୍ସବର ଅଂଶ ଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି କେନ୍ଦ୍ର ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ବିଜେତା ଦଳମାନଙ୍କୁ ପୁରସ୍କାର ଦେଇ ସମ୍ମାନିତ କରିଥିଲେ।

ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ର ଶ୍ରୀ ସୌମ୍ୟରଞ୍ଜନ ଦାଶଙ୍କ ନେତୃତ୍ୱରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ଦଳ ତାଙ୍କର ‘କ୍ୟାପଟିଭ ବ୍ରିଡିଙ୍ଗ ଅଫ ଇଣ୍ଡିଆନ ହର୍ସସୁ କ୍ରାବସ୍ ଇନ୍ କୋଷ୍ଟାଲ ଓଡ଼ିଶା’ ଶୀର୍ଷକ ଗବେଷଣା ମୂଳକ ମଡେଲ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ବୈଜ୍ଞାନିକ ନିରୀକ୍ଷଣ, ସମୁଦାୟ ସଂଲଗ୍ନତା ଓ ଶିକ୍ଷା ଅଭିଯାନ ଆଧାରିତ ସଂରକ୍ଷଣର ପ୍ରୟାସକୁ ଉଲ୍ଲେଖ କରାଯାଇଥିଲା।

ଏହି ସଫଳତା ପଛରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ଇଣ୍ଡିୟାନ୍ ହର୍ସ-ସୁ କ୍ରାବ୍ ଗବେଷଣା ଓ ସଂରକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବିଷ୍ଣୁ ପ୍ରସାଦ ଦାଶ, ଉପନିର୍ଦ୍ଦେଶକ ଡ଼କ୍ଟର ଭରତ ଭୂଷଣ ପଟ୍ଟନାୟକ ଓ ଜୀବବିଜ୍ଞାନ ବିଭାଗର ସହଯୋଗୀ ଅଧ୍ୟାପକ ଡକ୍ଟର ନିଳାଦ୍ରି ଭୂଷଣ କରଙ୍କ ମୂଲ୍ୟବାନ ମାର୍ଗଦର୍ଶନ ଓ ସହଯୋଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ।

ଏହି ବିରଳ ଉପଲବ୍ଧି, ଓଡ଼ିଶାର ଗବେଷଣା ଓ ସଂରକ୍ଷଣ ଜଗତ ପାଇଁ ଗର୍ବର ବିଷୟ ଓ ହର୍ସ-ସୁ କ୍ରାବ୍ରର ସାମୂହିକ ସଂରକ୍ଷଣ ପ୍ରୟାସର ଏକ ଶକ୍ତିଶାଳୀ ଉଦାହରଣ ଭାବେ ପ୍ରତିଷ୍ଠିତ ହୋଇପାରିଛି ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.