ଲୋକଙ୍କ କାମରେ ଅସୁନି ଏମସିଏଲ ନିର୍ମିତ ଶୌଚାଳୟ

କେବେ ହେବ ଲୋକାର୍ପିତ ???

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ରେଳ ଷ୍ଟେସନରେ ଗତ ୨୦୨୨ ମସିହାରୁ ମହାନଦୀ କୋଲ ଫିଲ୍ଡ ଲିମିଟେଡ (ଏମସିଏଲ) ତରଫରୁ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ୨୫ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଶୌଚାଳୟ । ଦୀର୍ଘ ଦୁଇବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଏହା ନିର୍ମିତ ହୋଇସାରିଥିଲେ ମଧ୍ୟ ଲୋକାର୍ପିତ ନହୋଇ ତାଲା ମାରି ରଖାଯାଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ନିର୍ବାଚନ ପୁର୍ବରୁ ଏହା ଲୋକାର୍ପିତ ହେବ ବୋଲି ଆଶା ବାନ୍ଧି ବସିଥିଲେ ଲୋକେ। ହେଲେ ନିର୍ବାଚନ ସରିଗଲା। କୌଣସି ନେତା ମନ୍ତ୍ରୀ କିମ୍ବା ଅଧିକାରୀଙ୍କ ନଜର ନାହିଁ ଏଥିପ୍ରତି । କେବଳ ନର୍ଲାରୋଡ ରେଳ ଷ୍ଟେସନ ବୋଲି ନୁହଁ ରାଜ୍ୟର ୨୩୨ ଗୋଟି ରେଳ ଷ୍ଟେସନରେ ୫୮.୦୭ କୋଟି ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶୌଚାଳୟ ନିର୍ମିତ ହୋଇଥିବା ବେଳେ ଏହାକୁ ତାଲାମାରି ରଖାଯାଇଛି । ଲୋକାର୍ପିତ ହେଉନି ଏହି ସର୍ବ ସାଧାରଣ ଶୌଚାଳୟ । ୨୦୧୯ ମସିହା ଜୁନ ୩ ରେ ଏନେଇ ଭୁବନେଶ୍ୱର ସ୍ଥିତ ଏମସିଏଲ ଅଫିସରେ ଏକ ଯୁଗ୍ମ ଏମୟୁ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ ଏବଂ ଇଷ୍ଟକୋଷ୍ଟ ରେଳବାଇ ଜୋନ ମଧ୍ୟରେ ସାଇନ ହୋଇଥିଲା । ଓଡିଶା ସ୍ଥିତ ଇଷ୍ଟକୋଷ୍ଟ ରେଳବାଇ ଯୋନର ୧୭୨ ଗୋଟି ରେଳ ଷ୍ଟେସନରେ, ୫୫ ଗୋଟି ଶୌଚାଳୟ ଦକ୍ଷିଣ ପୂର୍ବ ରେଳବାଇ ଜୋନ ଓ ୫ ଗୋଟି ଶୌଚାଳୟ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳବାଇ ଜୋନରେ ନିର୍ମିତ ହୋଇଥିବା ସୂଚନାରୁ ଜଣାପଡିଛି । ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଶୌଚାଳୟର ଗୋଟିଏ ବ୍ଲକରେ ୭ ଗୋଟି ଟଏଲେଟ ରହିଥିବା ବେଳେ ୩ ଗୋଟି ପୁରୁଷଙ୍କ ପାଇଁ, ୩ ଗୋଟି ମହିଳା ଓ ୧ ଗୋଟି ଦିବ୍ୟାଙ୍ଗ ମାନଙ୍କ ପାଇଁ ଓଭରହେଡ ପାଣି ଟାଙ୍କି ସହ ଏହା ନିର୍ମିତ ହୋଇଥିବା ଜଣାପଡିଛି । ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ଏହି ଶୌଚାଳୟ ଯାତ୍ରୀ ଗଣ, ସେମାନଙ୍କୁ ଷ୍ଟେସନ ଛାଡିବା ପାଇଁ ଆସିଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଅର୍ଥାତ ସର୍ବ ସାଧାରଣଙ୍କ ପାଇଁ ଏହା ନିର୍ମିତ ହୋଇଥିବା ବେଳେ କେତେକ ସ୍ଥାନରେ ଏହା ଲୋକାର୍ପିତ ହୋଇ ସାରିଥିବା ବେଳେ ନିର୍ମାଣର ଦୁଇ ବର୍ଷ ପରେ ମଧ୍ୟ ନର୍ଲାରୋଡରେ ଏହା ଲୋକାର୍ପିତ ହୋଇନଥିବାରୁ ଏବଂ ଜନସାଧାରଣଙ୍କ କାମରେ ଆସୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ଜାଣିବାକୁ ମିଳୁଛି । ଏହା କେବେ ଲୋକାର୍ପିତ ହେବ ତାହା ରେଳ ଷ୍ଟେସନ କତ୍ତୃପକ୍ଷଙ୍କୁ ପଚାରିଲେ ମଧ୍ୟ ଏହାର ସଠିକ ଜବାବ ମିଳିପାରୁ ନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.