ବନ୍ୟା ପ୍ରପୀଡିତଙ୍କ ପାଇଁ ବାଲେଶ୍ଵର ଠାରେ ବିଶାଳ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର

ଯୁବ ବିକାଶ ସଂଗଠନ ଯୋଗାଇଲେ ସ୍ଵାସ୍ଥ୍ୟ ସେବା, ଶୁଖିଲା ଖାଦ୍ୟ ସାମଗ୍ରୀ ଓ ବସ୍ତ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଜୁନ ମାସ ଶେଷ ସପ୍ତାହରୁ ସୁବର୍ଣ୍ଣରେଖାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଜନଜୀବନ ପ୍ରଭୂତ କ୍ଷତି ଘଟିଥିବା ବେଳେ ଗ୍ରାମାଞ୍ଚଳ ସ୍ଵାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ଅଭିଜ୍ଞ ଡାକ୍ତରୀ ଟିମକୁ ନେଇ ଏକ ବିଶାଳ ସ୍ଵାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଯାଇଛି।

ଏହି ସ୍ଵାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିବା ଅବସରରେ ‘ଯୁବ ବିକାଶ’ର ସଭାପତି ଗୋବିନ୍ଦ ବଲ୍ଲଭ ଦଳାଇ ଆଗକୁ ଆହୁରି ଶିବିର ଆୟୋଜନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ‘ଯୁବ ବିକାଶ’ର ସହ ନିର୍ଦ୍ଦେଶକ ଅସିତ କୁମାର ଦଳାଇ, ସ୍ଥାନୀୟ କର୍ମକର୍ତ୍ତା ପୂର୍ଣ୍ଣଚନ୍ଦ୍ର ଜେନା, ହେମନ୍ତ କୁମାର ଦଳାଇ, ଲକ୍ଷ୍ମୀପ୍ରିୟା ମାର୍ଣ୍ଡି,ସୁବାସ ଖୁଣ୍ଟିଆ, ରାଖାଲ ମାଇତି, ଜଗଦୀଶ ପରିଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ନୟାବାଲି, ଇକଡପାଳ, କୁଲ୍ହା, ରସଲପୁର, ବିଷ୍ଣୁପୁର ଗ୍ରାମର ଶତାଧିକ ଲୋକ ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା ନେଇଛନ୍ତି। ଆଣ୍ଠୁଗଣ୍ଠି, ଜ୍ୱର, କାଶ, ଡାଇରିଆ, ଚର୍ମରୋଗ, ଶିଶୁରୋଗ ଭଳି ରୋଗରେ ପୀଡ଼ିତ ବ୍ୟକ୍ତି ସକାଳ ୯ ଟାରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆସି ଅଭିଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ। ଏହି ସ୍ୱାସ୍ଥ୍ୟ ଶିବିରରେ ବରିଷ୍ଠ ରୁମାଟୋଲୋଜି ରବି ନାରାୟଣ ଦାଶ, ସର୍ଜରୀ ବିଶେଷଜ୍ଞ ଡଃ ମନୋଜ ବାରିକ, ଡାକ୍ତର ଅନୁପ କୁମାର ଧଡା, ଫାର୍ମାସିଷ୍ଟ ଦୀପକ କୁମାର ବାରିକ ଦିନବ୍ୟାପୀ ବିଭିନ୍ନ ପରୀକ୍ଷା କରିବା ସହିତ ରୋଗର ପ୍ରତିକାର ପାଇଁ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ।

‘ବନଭାରତୀ ଫାଉଣ୍ଡେସନ’ ପକ୍ଷରୁ ବାଇକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆ ଯାଇଥିଲା। ଶିବିର ପାଖକୁ ଯେଉଁ ରୋଗୀମାନେ ପହଞ୍ଚି ପାରୁନଥିଲେ ସେମାନଙ୍କୁ ବାଇକ ଆମ୍ବୁଲାନ୍ସରେ ଆଣି ଚିକିତ୍ସା କରାଯାଇଥିଲା। ସୁଦୂର ଭୁବନେଶ୍ୱରରୁ ସମାଜସେବୀ ଗଗନ ପଇତାଳ ୫୦୦ ରୁ ଉର୍ଦ୍ଧ୍ଵ ପରିବାର ପାଇଁ ବସ୍ତ୍ର,ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ଯୁବ ବିକାଶ ତରଫରୁ ଭିନ୍ନକ୍ଷମ ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ‘ଯୁବ ବିକାଶ’ ନୟାବାଲିର ଦୟାନନ୍ଦ ଜେନା, ଉତ୍ତମ କୁମାର ପିଳା, ସନ୍ୟାସୀ ଜେନା, ମନ୍ମଥ ବେହେରା, ପୂଜାରାଣୀ ପାତ୍ର, ମଧୁସ୍ମିତା କର, ଅନିତା ପାଣିଗ୍ରାହୀ, ଅଞ୍ଜନା ପିଳା, ଲକ୍ଷ୍ମୀପ୍ରିୟା ବଢେଇ, ମମତା କର, ମାଳତୀ ସାହୁ, ଆରତୀ ସାହୁ, ହରେକୃଷ୍ଣ ଜେନା, ବିଦ୍ୟାଧର ଦାସ, ନୟନ ପାଣିଗ୍ରାହୀ, ଅମିତା କର, କରୁଣାକର ସେନାପତି ସହଯୋଗ ପ୍ରଦାନ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.