ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ସକାଳ ୯ ଟାରେ ଖୋଲାଯାଇଛି । ମନ୍ଦିରରେ ଥିବା ୯ ଗୋଟି ଦାନହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି । ଚଳିତ ଥର ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ, ମନ୍ଦିର ପରିଚାଳନା କମିଟି ଓ ବିଭିନ୍ନ ମହିଳା ସୟଂ ସହାୟକ ଗୋଷ୍ଠୀ ପକ୍ଷରୁ ହୁଣ୍ଡିରୁ ବାହାରିଥିବା ଟଙ୍କା ଓ ଅଳଙ୍କାର ଗଣତି ଜାରିରହିଛି । ଏହି ଗଣତିରେ ପ୍ରାୟ ୨୦୦ ଲୋକ ସାମିଲ ଥିବା ଜଣା ପଡିଛି | ଗତ ଥର ଜାନୁଆରୀ ୨୭ ତାରିଖରେ ହୁଣ୍ଡିରୁ ନଗଦ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା ସହିତ ୯୩ ଗ୍ରାମ ସୁନା ଓ ୨୧୭୦ ଗ୍ରାମ ରୁପା ବାହାରିଥିଲା । ଏଥିସହିତ ବିଭିନ୍ନ ପ୍ରକାର ୫ଟି ବିଦେଶୀ ନୋଟ୍ ମଧ୍ୟ ବାହାରିଥିଲା । ଏହା ପୂର୍ବରୁ ୨୦୨୪ ଜୁଲାଇ ୨୪ ରେ ହୁଣ୍ଡିରୁ ନଗଦ ନଗଦ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା ସହିତ ୫୩ ଗ୍ରାମ ସୁନା ଓ ୨୩୯୨ ଗ୍ରାମ ରୂପା ବାହାରିଥିଲା । ଏଥି ସହିତ ବିଭିନ୍ନ ପ୍ରକାର ୩୩ ଟି ବିଦେଶୀ ନୋଟ୍ ମଧ୍ୟ ବାହାରିଥିଲା । ଏଥିରେ ଇଂଲଣ୍ଡର ୨୦ ପାଉଣ୍ଡ ନୋଟ ୨୦ ଗୋଟି, ୧୦ ପାଉଣ୍ଡ ନୋଟ୍ ୧୦ ଗୋଟି, ୫ କାନାଡିଆନ ଡଲାର ୧ ଗୋଟି,ଆମେରିକାର ୨୦ ଡଲାର ନୋଟ ୧ ଗୋଟି ଏବଂ ଥାଇଲାଣ୍ଡର ୧୦୦ ଗୋଟି ନୋଟ ବାହାରିଥିଲା । ସୂଚନା ଥାଉ କି ବର୍ଷକୁ ୩ ରୁ ୪ ଥର ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି । ହୁଣ୍ଡି ଖୋଲି ଗଣତି ବେଳେ ପୋଲିସ ଓ ମନ୍ଦିର ସୁରକ୍ଷାକର୍ମୀଙ୍କ ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।