ରଥ ଉପରେ ମହାପ୍ରଭଙ୍କୁ ଅଧରପଣା ନୀତି ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ବାହୁଡ଼ା ଯାତ୍ରା ପରେ ରଥରେ ବିଜେ କରିଛନ୍ତି ଦାରୁଦିଅଁ । ବାହୁଡ଼ା ଯାତ୍ରାର ତୃତୀୟ ଦିନରେ ରଥ ଉପରେ ଅନୁଷ୍ଠିତ ହୋଇଛି ଅଧରପଣା ନୀତି । ତିନିରଥକୁ ସ୍ୱତନ୍ତ୍ର ଉପଚାରରେ ପୂଜା କରାଯାଇ ପ୍ରସ୍ତୁତ କରାଯାଇଥିବା ସମୟରେ ରଥରେ ବହୁ ଦେବଦେବୀ ବିରାଜମାନ କରିଥାନ୍ତି । ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହେବା ପରେ ପାର୍ଶ୍ୱ ଦେବଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ତୃପ୍ତ କରିବାକୁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯିବାର ବିଧିକୁ ପାଳନ କରାଯାଇଛି । ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହ ମାନଙ୍କର ଅଧର ପର୍ଯ୍ୟନ୍ତ ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ । ଛେନା, ଛାଚି, କ୍ଷୀର, ସର, ଗୋଲମରିଚ, କର୍ପୁର, ଜାଇଫଳ, କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯିବା ସହ ଏହାକୁ ରଥ ଉପରେ ଭଙ୍ଗାଯାଇଥିଲା । ପ୍ରତିରଥରେ ତିନିଟି କରି ୯ଟି ହାଣ୍ଡି ଭୋଗ ହୋଇଥିଲା । ମହାପ୍ରଭୁଙ୍କ ଅଧର ସ୍ପର୍ଶ ପଣା ହାଣ୍ଡି ଭୋଗ ହେବା ପରେ ଭଙ୍ଗାଯିବାର ପରମ୍ପରା ଅନନ୍ୟ । ଜନଶ୍ରୁତି ଅନୁଯାୟୀ ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହୋଇ ରଥର ପାର୍ଶ୍ବ ଦେବଦେବୀ ଓ ଅନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କ ପାଇଁ ଅଧର ହାଣ୍ଡି ଭଙ୍ଗା ଯାଇଥିଲା । ଏହି ସମୟରେ ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହି ନୀତି କୁ ଉପଭୋଗ କରିଥିଲେ l ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ଙ୍କ ନେତୃତ୍ୱ ରେ ସମଗ୍ର ଅଞ୍ଚଳରେ କଡା କଡ଼ି ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଲୋକନାଥ ପାଢ଼ୀ ଙ୍କ ସମେତ ସମସ୍ତ ସଦସ୍ୟ ଏବଂ ଅଞ୍ଚଳର ପର୍ଶୁରାମ ବାହିନୀ, ବ୍ରାହ୍ମଣ ସମିତି, ବିଭିନ୍ନ ଯୁବକ ସଂଘ, ମହିଳା ସଂଘ, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.