ଅନୁଷ୍ଠିତ ହେଲା କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି ଉତ୍ସବ
ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସ୍ମୃତି ଚାରଣ ଗୋଟିଏ ବ୍ୟକ୍ତିକୁ ଅନୁଷ୍ଠାନରେ ପରିଣତ କରିପାରେ। କବି ଚନ୍ଦ୍ର କୁମାର ମହାନ୍ତିଙ୍କ ସ୍ମୃତି ଚାରଣ ତାଙ୍କ ବ୍ୟକ୍ତିତ୍ବକୁ ପରିଭାଷିତ କରିବା ସହିତ ତାଙ୍କୁ ପଲ୍ଲବିତ କରିଛି। ସ୍ଥାନୀୟ ଷ୍ଟେସନ କ୍ଲବରେ ଅନୁଷ୍ଠିତ କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କବି ବିପିନ ନାୟକ ଏହା କହିଛନ୍ତି। ଏହା ସହିତ କବି ଚନ୍ଦ୍ର କୁମାର ମହାନ୍ତି ଜଣେ ଅବିଚଳିତ କାବ୍ୟ ପୁରୁଷ ଥିଲେ ବୋଲି ସେ କହିଥିଲେ । ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସୁଖ୍ୟାତ କବି କେ. ଶ୍ୟାମବାବୁ ଦୋରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କବି ଚନ୍ଦ୍ର କୁମାର ମହାନ୍ତିଙ୍କ କବିତାରେ ଯେଉଁ ବେସାଲିସ ଭାବ ପରିଦୃଶ୍ୟ ହୁଏ ତାଙ୍କ ବ୍ୟକ୍ତିତ୍ବ ମଧ୍ୟ ସେହିପରି ବୋଲି କହିଥିଲେ ।ପ୍ରାରମ୍ଭରେ ଆୟୋଜକ କବିପୁତ୍ର ଉତ୍ପଳ ମହାନ୍ତି ମଞ୍ଚ ଆହ୍ବାନ କରିବା ସହିତ ସ୍ମୃତି ଉତ୍ସବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କବି ଶ୍ରୀଦେବ ଅତିଥି ପରିଚୟ ଦେଇଥିବା ବେଳେ କବି ପ୍ରଶାନ୍ତ ଦାସ ଓ ଗଙ୍ଗାଧର ବିଶ୍ଵାଳ କବି ଚନ୍ଦ୍ର କୁମାର ମହାନ୍ତିଙ୍କ କବିତ୍ବ ଉପରେ ସାରଗର୍ଭକ ଭାଷଣ ଦେଇଥିଲେ। ଏହି ଅବସରରେ ଯୁବକବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ରଙ୍କୁ ଚଳିତ ବର୍ଷର କବି ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର ପ୍ରଦାନ କରାଯାଇଥିଲା। କୃଷ୍ଣ କୁମାର ମହାନ୍ତି ମାନପତ୍ର ପାଠ କରିଥିଲେ। କବି ସୁନୀଲ ମିଶ୍ର ଅତିଥି ତଥା ପୁରସ୍କୃତ ପ୍ରତିଭାଙ୍କୁ ଉପହାର ପ୍ରଦାନ କରିଥିଲେ। ଶେଷରେ କବି ରଞ୍ଜନ ବାଗ ଧନ୍ୟବାଦ ଦେଇଥିଲେ।