ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏବେ ଅତ୍ୟାଧୁନିକ ସଭ୍ୟତା ଓ କମ୍ପ୍ୟୁଟର ଯୁଗରେ ଆଉ ଦେଖିବାକୁ ମିଳୁନି ପିଲାଙ୍କ ପାରମ୍ପାରିକ ଖେଳ ସବୁ । ଆଗରୁ ସ୍କୁଲ ଛୁଟି ସମୟରେ ତଥା ପାଠପଡା ବିରତି ସମୟରେ ଗାଁ ଦାଣ୍ଡରେ ପିଲାଙ୍କ ବିଭିନ୍ନ ଖେଳ ଦେଖିବାକୁ ମିଳୁଥିଲା । ଗାଁ ଦାଣ୍ଡ ଧୁଳି ରାସ୍ତାରେ ପିଲାଏ ଧାଁ ଧୌଡ କରି ବିଭିନ୍ନ ପାରମ୍ପାରିକ ଖେଳ ଖେଲୁଥିବାର ଦେଖିବାକୁ ମିଳୁଥିଲା । ସେଥି ମଧ୍ୟରେ ପିଥୁ, କିଲିବାଡି, ବାଟି, ଡୁଡୁ ଭଳି ଅନେକ ପାରମ୍ପାରିକ ଖେଳ ରହିଥିଲା । ହେଲେ ଏବେ ଆଉ ସେ ସବୁ ଖେଳ ଗାଁ ଦାଣ୍ଡରେ ଦେଖିବାକୁ ମିଳୁନି । ହଜି ଯିବାକୁ ବସିଲାଣି ପାରମ୍ପାରିକ ଖେଳ ସବୁ । ହଁ ଏମିତିରେ ବି ଗାଁ ଦାଣ୍ଡ ଆଉ ମାଟି ରାସ୍ତା ହୋଇ ରହିନାହିଁ । ଏବେ ଗାଁ ଦାଣ୍ଡ ସବୁ ସିମେଣ୍ଟ କଂକ୍ରୀଟ ରାସ୍ତାରେ ପରିଣତ ହୋଇ ଗଲାଣି । ଆଉ ପାରମ୍ପାରିକ ଖେଳର ସ୍ଥାନ କ୍ରିକେଟ ଭଳି ବିଦେଶୀ ଖେଳ ସବୁ ନେଇ ସାରିଛି । ଏହା ବାଦ ପାଠ ପଢାରୁ ଟିକେ ଅବ୍ୟାହତି ପାଇଲେ ପିଲାଏ ଶିଶୁରୁ କିଶୋର ଓ ଯୁବକ ମୋବାଇଲ ରେ ଗେମ ଖେଳିବା ତଥା ରିଲସ ଦେଖିବାରେ ମାତୁଥିବା ପ୍ରାୟତଃ ଦୃଶ୍ୟମାନ ହେଉଛି । ଚାରିଆଡେ ବ୍ୟାୟାମ ଓ ଯୋଗା କରିବା ପାଇଁ ସବୁ ସ୍ତରରେ ପ୍ରଚେଷ୍ଟା ଜାରି ରହିଥିଲେ ମଧ୍ୟ ମୋବାଇଲ ନିଶା ପିଲାଙ୍କୁ କବଜା କରିସାରିଲାଣି । ପିଲାଠୁଁ ବୁଢା ସମସ୍ତଙ୍କ ହାତରେ ମୋବାଇଲ । ଗାଁ ମାନଙ୍କରେ ପାରମ୍ପାରିକ ବାଟିଖେଳ ବେଶ ଲୋକାଦୃତ ଥିଲା । ଦଳ ଦଳ ହୋଇ ପିଲାଏ ବିଭିନ୍ନ ରଙ୍ଗ ବେରଙ୍ଗର ବାଟି ନେଇ ଦୁଇ ଗୋଷ୍ଠୀ ହୋଇ ଖେଳୁଥିଲେ । ଏହାକୁ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ ରହୁଥିଲା ବାଟି ଖେଳ କେନ୍ଦ୍ରରେ । ଏବେ ଏହି ପାରମ୍ପାରିକ ବାଟି ଖେଳ କାଁ ଭାଁ ଦେଖିବାକୁ ମିଳୁଛି ଗାଁ ଦାଣ୍ଡରେ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ପ୍ରହରୀ ମଣ୍ଡପ ଛକରେ ଦେଖିବାକୁ ମିଳିଛି ପାରମ୍ପାରିକ ବାଟି ଖେଳ । ପିଲାଙ୍କ ଦୁଇ ଦଳରେ ହୋଇ ଚାଲିଥିବା ବାଟି ଖେଳକୁ ମନଭରି ଉପଭୋଗ କରିଥିଲେ ଆଗରୁ ପିଲାବେଳେ ବାଟି ଖେଳି ଆସିଥିବା ଅନେକ ବୟସ୍କ ବ୍ୟକ୍ତି । ସେମାନଙ୍କ ମତରେ ଆଗରୁ ଏବ ଭଳିକା କ୍ରିକେଟ ଖେଳ, ମୋବାଇଲ ନଥିଲା ଆମ ସମୟରେ । ଆମେ ଦିନଯାକ ବିଦ୍ୟାଳୟରୁ ପାଠ ସାରି ଆସିଲେ ଏବଂ ଛୁଟି ଦିନ ମାନଙ୍କରେ ବାଟି ଖେଳରେ ମଜ୍ଜି ରହୁଥିଲୁ । ସେ ଆନନ୍ଦ ସେ ଉତ୍ସାହ ଭିନ୍ନ ଥିଲା । ପିଲାଙ୍କ ମଧ୍ୟରେ ନୂତନ ଯୋଶ ରହୁଥିଲା । ଭାଇଚାରା ସୃଷ୍ଟି ହେଉଥିଲା । ହେଲେ ଏବେତ ହଜିବାକୁ ବସିଲାଣି ପାରମ୍ପାରିକ ବାଟି ଖେଳ ବୋଲି ମତବ୍ୟକ୍ତ କରିଛନ୍ତି ଗ୍ରାମର କେତେକ ବୟସ୍କ ବ୍ୟକ୍ତିମାନେ ।