ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା : ଚାରି କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସହରାଞ୍ଚଳ ତଥା ଗ୍ରାମାଞ୍ଚଳ ମାନଙ୍କରେ ଉନ୍ନତିକରଣ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ମାଲମାଳ ଯୋଜନା ପ୍ରସ୍ତୁତ କରି କୋଟିକୋଟି ଟଙ୍କା ପାଣି ଭଲି ଖର୍ଚ୍ଚ କରି ରାସ୍ତାଘାଟ ନିର୍ମାଣ କରୁଛନ୍ତି। ହେଲେ ଏବେ ବି ଦୁର୍ଗମ ଅଞ୍ଚଳ ଲୋକଙ୍କୁ ଯାତାୟାତ ପାଇଁ ସବୁଦିନିଆ ରାସ୍ତା ଖଣ୍ଡେନାହିଁ। ରାସ୍ତା ନଥିବା ଯୋଗୁଁ ଦୁର୍ଗମ ଅଞ୍ଚଳ ବାସୀଙ୍କୁ ଭୋଗିବାକୁ ପଡିଥାଏ ନାହିଁ ନଥିବା ଦୁର୍ଦ୍ଦଶା। ସେହିପରି ସ୍ବାସ୍ଥ୍ୟ ସେବା ଭଳି ଜରୁରୀକାଳୀନ ପରିସ୍ଥିତିରେ ସମସ୍ୟା ସାଂଘାତିକ ହୋଇପଡିଥାଏ।ଗାଁକୁ ଆମ୍ବୁଲାନ୍ସ ଟିଏ ପହଞ୍ଚି ପାରେନି ବୋଲି ଜୀବନ ଯନ୍ତ୍ରଣାରେ ଛଟପଟ ହୋଇଥାନ୍ତି ଗୁରୁତ୍ୱର ରୋଗୀ ତଥା ଗର୍ଭବତୀ ମହିଳା। ତେବେ ଦୁର୍ଗମ ଅଞ୍ଚଳରେ ଗୁରୁତ୍ୱର ବା ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହେବା ଭଳି ଅନେକ ଘଟଣା ଘଟିଥାଏ କିନ୍ତୁ ଦୁର୍ଗମ ଅଞ୍ଚଳରେ କୌଣସି ସରକାରୀ ବାବୁ ବା ରାଜନେତାଙ୍କ ଦୃଷ୍ଟି ପଡ଼ି ନଥାଏ ଫଳରେ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଠିକ ଭାବରେ ଆମ୍ବୁଲାନ୍ସ ସେବା ମଧ୍ୟ ମିଳିନଥାଏ। ଦୁର୍ଗମ ଅଞ୍ଚଳରେ ଅନେକ ସମୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଥିବା ବେଳେ ଆଜି ପୁଣି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଯୁଗସାଇ ପାଟଣା ପଞ୍ଚାୟତ ଅନ୍ତର୍ଗତ କଡରୁସୋରୁ ଗାଁରେ। ଗାଁର ସାନଲାକ୍ସା ମାଝୀଙ୍କ ସ୍ତ୍ରୀ ଆନ୍ଦ୍ରାଣୀ ମାଝୀ ସକାଳେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଡାକ୍ତରଖାନା ନେବାପାଇଁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରାଯାଇଥିଲା। ହେଲେ ରାସ୍ତା ଅତି ଶୋଚନୀୟ ହୋଇ ଥିବାରୁ ଆମ୍ବୁଲାନ୍ସ ଆସି ଅଧବାଟ କମଳେଇ ଗାଁ ନିକଟରେ ଅଟକି ରହିଲା। ଆଗକୁ ରାସ୍ତା ଠିକ୍ ନଥିବା ଯୋଗୁଁ ଆମ୍ବୁଲାନ୍ସ ଆଗକୁ ବଢିପାରିନଥିଲା। ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକେ ପ୍ରାୟ ୪ କିଲୋମିଟର ଖଟିଆରେ ବୋହିଲା ପରେ କମଲେଇ ଗାଁରେ ଅଟକି ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ।ସେହିଠାରେ ଆମ୍ବୁଲାନ୍ସ ଯୋଗେ ଗର୍ଭବତୀ ମହିଳାଙ୍କୁ ଲାଞ୍ଜିଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଁ ଭର୍ତ୍ତି କରିଥିବା ପରିବାର ଲୋକଙ୍କ ପକ୍ଷରୁ ସୁଚନା ମିଳୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.