ଓଡ଼ିଆ ବାର୍ତ୍ତା/ ଜୟପୁର: କାଳୀକୃଷ୍ଣ ମନ୍ଦିର ଜୟପୁର ଠାରେ ହର୍ଷ ଉଲ୍ଲାସର ସହ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କାଳୀକୃଷ୍ଣ ସଂଘ ପ୍ରତିଷ୍ଠାତା ସଦଗୁରୁ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କର ପୂଜନ ବନ୍ଦନ କରାଯାଇଥିଲା। ସଂଘ ପରିଚାଳକ ଗୁରୁଜୀ ଜଗଦାନନ୍ଦଜୀଙ୍କ ଦିବ୍ୟ କଥାମୃତ ପାନ କରିଥିଲେ ଭକ୍ତ ମଣ୍ଡଳୀ। ‘ଗୁରୁ ମନୁଷ୍ୟକୁ ସଂସାରର ସୁଖ ପ୍ରଦାନ କରିବା ସହିତ ମନୁଷ୍ୟ ଜୀବନର ଲକ୍ଷ୍ୟ ମୋକ୍ଷ ପାଇବାର ମାର୍ଗ ପ୍ରଶସ୍ତ କରିଦିଅନ୍ତି। ଗୁରୁ ଜୀବନକୁ ସରସ ସୁନ୍ଦର କରିବା ସହିତ ଅସରନ୍ତି ଆନନ୍ଦ ପ୍ରଦାନ କରିଥାନ୍ତି। ଯାହା ପାଇଁ ମନୁଷ୍ୟ ଜୀବନ ସର୍ବଶ୍ରେଷ୍ଠ ସେହି ସତ୍ୟ, ଶାନ୍ତି, ଆନନ୍ଦ, ସେବା, ପରୋପକାର ଧାରଣ କରିବା ପାଇଁ ଗୁରୁଙ୍କର ମାର୍ଗଦର୍ଶନ ଆବଶ୍ୟକ ହୋଇଥାଏ। ଗୁରୁ କହି ଦିଅନ୍ତି ମନୁଷ୍ୟକୁ ତୁମେ କିଏ ? କଣ ପାଇଁ ସଂସାରରକୁ ଆସିଛ। ଏହି ଗୁଢ ତତ୍ତ୍ବର ଜ୍ଞାନ ପ୍ରଦାନ କରନ୍ତି ଗୁରୁ’ ବୋଲି ଶ୍ରୀ ଜଗଦାନନ୍ଦଜୀ ମହାରାଜ ଉପସ୍ଥିତ ଗୁରୁ ପ୍ରେମୀ ଶିଷ୍ୟ ଶିଷ୍ୟାମାନଙ୍କୁ ପ୍ରବଚନ ମାଧ୍ୟମରେ ବୁଝାଇ ଥିଲେ। ଏହି କାର୍ଯ୍ୟକ୍ରମରେ କାଳୀ କୃଷ୍ଣ ସଂଘର ଅନେକ ଆଶ୍ରିତ ଶିଷ୍ୟ ଶିଷ୍ୟା, ଭକ୍ତ, ଶୁଭେଚ୍ଛୁ ଉପସ୍ଥିତ ରହି ଗୁରୁଙ୍କ ଠାରୁ ଦିବ୍ୟ କଥାମୃତ ପାନ କରିବା ସହିତ ଆଶିର୍ବାଦ ଭିକ୍ଷା କରିଥିଲେ।