ତିତକେଲାଠାରେ ସଂସ୍କାର ଭାରତୀ ପକ୍ଷରୁ ଗୁରୁପୂର୍ଣ୍ଣିମା ଉତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ସଂସ୍କାର ଭାରତୀ ତରଫରୁ ଜିଲ୍ଲା ସଧାରଣ ସମ୍ପାଦକ ପ୍ରମୋଦ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରା ଗ୍ରାମ ପଞ୍ଚାୟତର ତିତ୍କେଲା ଠାରେ ବ୍ୟାସଦେବଙ୍କ ଜନ୍ମ ତିଥିରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। କଣ୍ଠଶିଳ୍ପୀ  ଶିବରାମ ସାହୁ ଓ ତାଙ୍କ ସାଥି ସଂସ୍କାର ଭାରତୀର ଧେୟ ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ନର୍ଲା ବ୍ଲକ ସଭାପତି ଜଗନ୍ନାଥ ସାହୁ, ସମ୍ମାନୀତ ଅତିଥି ଭାବରେ  କଳାକାର ଶୋଭାକର ପଧାନ, ସଙ୍ଗୀତଜ୍ଞ ପ୍ରଦୀପ କୁମାର ନାଏକ, କବି ମୋହନ ଭଟ୍ଟ ପ୍ରମୁଖ ଯୋଗଦାନ କରି ଗୁରୁ ପୂର୍ଣ୍ଣିମାର ମହତ୍ତ୍ଵ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମଞ୍ଚାସୀନ ସ୍ବତନ୍ତ୍ର ଅତିଥି ଶିକ୍ଷାବିତ ତପନ କୁମାର ଭୋଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଗୁରୁ ପୂର୍ଣିମା ପାଳନର ତାତ୍ପର୍ଯ୍ୟ ଓ ବ୍ୟାସଦେବଙ୍କ ବିଷୟରେ ବିସ୍ତୃତ ଭାବରେ ବଖାଣି ଥିଲେ। ଭାଗବତିଆ କବି ମଧୁସୂଦନ ରାଉତ ମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ ନାଟ୍ୟ ଗୁରୁ କାହ୍ନୁ ଚରଣ ବିଶ୍ଵାଳଙ୍କୁ ସଂସ୍କାର ଭାରତୀ ତରଫରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନାଟ୍ୟ ଗୁରୁ ଶ୍ରୀ ବିଶ୍ଵାଳ ୧୫ ବର୍ଷ ବୟସରୁ ରାମଲୀଳା ନାଟକରେ ନିଖୁଣ ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଏହାପରେ ଜଳନ୍ଧର ବଦ୍ଧ, ଜନ୍ମାଷ୍ଟମୀ, କଂସବଦ୍ଧ ଭଳି ଶତାଧିକ ନାଟକ ନିର୍ଦ୍ଦେଶନା ଦେଇ ଜଣେ ସଫଳ ନାଟ୍ୟଗୁରୁ ଭାବରେ ଖ୍ୟାତି ଅର୍ଜନ କରିଛନ୍ତି। ଅନୁଷ୍ଠିତ ଗୁରୁପୂର୍ଣିମା ଉତ୍ସବ କାର୍ଯ୍ୟକ୍ରମରେ ଶତାଧିକ କଳା ସାଧକ, ସଂଗଠକ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ତିତକେଲା ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ସଦସ୍ୟ ବିଜୟ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.