ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ସମ୍ପର୍କୀୟା ପିଉସୀ ଓ ପୁତୁରାଙ୍କ ପ୍ରେମସମ୍ପର୍କକୁ ନେଇ ଗାଁ ଲୋକେ ବୈଠକ କରି ପ୍ରେମୀ ଯୁଗଳଙ୍କୁ ଚାଷଜମିରେ ହଳ କରାଇ ଦଣ୍ଡ ଦେଇଥିବା ଘଟଣା ଏବେ ରାୟଗଡ଼ା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି | ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସିକରପାଇ ଗ୍ରାମ ପଞ୍ଚାୟତ କଞ୍ଜାମଯୋଡ଼ି ଗ୍ରାମରେ । ତେବେ ଗାଁରେ ଏହି ଦଣ୍ଡ ମିଳିବା ପରେ ପ୍ରେମୀଯୁଗଳଙ୍କ ପତ୍ତା ମିଳୁନି । ସେମାନେ କେଉଁ ଆଡ଼େ ଚାଲି ଯାଇଛନ୍ତି କି ଏନେଇ କିଛି ଜଘନ୍ୟ କାଣ୍ଡ ଘଟାଇଛନ୍ତି ତାହାକୁ ନେଇ ଗ୍ରାମବାସି ମୁହଁ ଖୋଲୁନାହାନ୍ତି । ଘଟଣାରୁ ପ୍ରକାଶ ଯେ, କଞ୍ଜାମଯୋଡ଼ି ଗ୍ରାମର ଯୁବକ କୋଡ଼ିୟା ସାରାକା(୨୮) ଓ ତାଙ୍କ ସମ୍ପର୍କୀୟା ପିଉସୀ (୩୨) ଉଭୟ ପରସ୍ପରକୁ ଦୀର୍ଘ ଦିନରୁ ପ୍ରେମ କରି ଆସୁଥିଲେ । ଦୁହେଁ ବିବାହ ପାଇଁ ଯୋଜନା କରି ଫେରାର ହୋଇଥିଲେ ହେଲେ ଏ ବିଷୟରେ ଜାଣିବା ପରେ ପରିବାର ବର୍ଗ ମନା କରିବା ସହିତ ଗାଁ ଲୋକେ ସେମାନଙ୍କୁ ଗାଁକୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଗୁରୁବାର ଦିନ ଗାଁ ଲୋକେ ଉଭୟ ପ୍ରେମୀ ଯୁଗଳଙ୍କୁ ଚାଷ ଜମିରେ ଲଙ୍ଗଳରେ ବଳଦ ବଦଳରେ ହଳ କରାଇ ଦଣ୍ଡ ଦେଇଥିଲେ । ତେବେ ଘଟଣା ପରଠାରୁ ପ୍ରେମୀଯୁଗଳ ଗାଁରେ ନ ଥିବା ଜଣାପଡୁଛି | ହେଲେ ଦଣ୍ଡ ବିଧାନ ପରେ ପ୍ରେମୀଯୁଗଳ କେଉଁଆଡ଼େ ଫେରାର ହୋଇଯାଇଛନ୍ତି ଅଥବା ସେମାନଙ୍କ ସହିତ ଅନ୍ୟ କିଛି ଘଟଣା ଘଟିଛି ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ । ତେବେ ସମାଜରେ ଆଜି ଦିନରେ ବି ଏଭଳି ଘଟଣାର ଶାନ୍ତିପୂର୍ଣ୍ଣ ସମାଧାନ ପରିବର୍ତ୍ତେ ଅସାମ୍ବିଧାନିକ ଦଣ୍ଡବିଧାନ କେତେଦୂର ଗ୍ରହଣୀୟ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।