ଫକୀରମୋହନ ବିଶ୍ଵବିଦ୍ୟାଳୟ ଯୁବଗାଳ୍ପିକ ପୁରସ୍କାର-୨୦୨୫ ଗ୍ରହଣ କଲେ ଡିଲେଶ୍ଵର ରଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ୍): କଳାହାଣ୍ଡି ଜିଲ୍ଲାର ପ୍ରତିଭାବାନ ଯୁବ ଲେଖକ ଡିଲେଶ୍ୱର ରଣା “ଫକୀରମୋହନ ବିଶ୍ଵବିଦ୍ୟାଳୟ ଯୁବଗାଳ୍ପିକ ପୁରସ୍କାର-୨୦୨୫” ଗ୍ରହଣ କରିଛନ୍ତି। ବିଶ୍ଵବିଦ୍ୟାଳୟ ପକ୍ଷରୁ ଓଡ଼ିଆ ଭାଷାରେ ଗଳ୍ପ ଲିଖନ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରାଯାଇଛି। ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ଗଳ୍ପ ମାଧ୍ୟମରେ ସମୃଦ୍ଧ କରିବା ଦିଗରେ ତାଙ୍କର ନିଷ୍ଠା ଓ ସୃଜନଶୀଳତାକୁ ସ୍ୱୀକୃତି ସ୍ୱରୂପ ତାଙ୍କୁ ବିଶିଷ୍ଟ ଗାଳ୍ପିକା ଡ. କବିତା ବାରିକଙ୍କ ଦ୍ଵାରା ସଂସ୍ଥାପିତ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି।

ବାଲେଶ୍ଵର ସ୍ଥିତ ଫକୀରମୋହନ ବିଶ୍ଵବିଦ୍ୟାଳୟ ୨୭ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟବକ୍ତା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଅହମୀୟା ଲେଖିକା ଅରୂପା କାଲିତା ପତାଙ୍ଗିଆ, ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ, କୁଳସଚିବ କୁକୁମୀନା ଦାସ, ସ୍ନାତ୍ତକୋତ୍ତର ପରିଷଦ ଅଧ୍ୟକ୍ଷ ଭାସ୍କର ଦାସ ପ୍ରମୁଖ ଶ୍ରୀ ରଣାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଧଅଁରାମାଲ ଗାଁରେ ଜନ୍ମିତ ଡିଲେଶ୍ୱରଙ୍କର ଗଳ୍ପ, କବିତା, ଫିଚର ଓ ଗୀତ ରଚନା, ଅଭିନୟ ଓ ଉପସ୍ଥାପନାରେ ବେଶ୍ ରୁଚି ରହିଛି। ତାଙ୍କର ଟାଇମପାସ ପ୍ରକାଶିତ ଗଳ୍ପ ସଂକଳନ ‘ସେଁର୍‌ରା’ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପ୍ରକାଶିତ ଉପନ୍ୟାସ ‘ମେଳିଭୂଇଁ’ ବିପୁଳ ପାଠକୀୟତା ଲାଭ କରିଛି। ‘ସେଁର୍‌ରା’ ସଂକଳନର ଶୀର୍ଷକ ଗଳ୍ପକୁ ନେଇ ପ୍ରସ୍ତୁତ ଟେଲିଫିଲ୍ମ ଦୂରଦର୍ଶନରେ ପ୍ରସାରିତ ହୋଇ ବେଶ୍ ଆଦୃତ ହୋଇଛି।

ସାରସ୍ୱତ ସାଧନା ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର, ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟରସିପ୍, କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ତପସ୍ୟା ସମ୍ଭାବନା ପୁରସ୍କାର, ପଲ୍ଲବନ ଶବ୍ଦ ସମ୍ମାନ, ଦେବଗିରି ଯୁବ ସମ୍ମାନ, କଳାହାଣ୍ଡି ଯୁବ ପ୍ରତିଭା ପୁରସ୍କାର ପାଇବା ସହ କେନ୍ଦ୍ର ସାହିତ୍ୟ ଅକାଦେମୀର ଯୁବସହିତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି।

ସେହିପରି ଦେଶର ବିଭିନ୍ନ ମଞ୍ଚରେ ଅଭିନୟ କରିବା ସହ ବଲିଉଡ ଫିଲ୍ମ ‘ଏ ରେଡ୍ ଶାର୍ଟ’ରେ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି। ପୁରସ୍କାର ପାଇଁ ତାଙ୍କୁ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.