ଭାରତର ଗର୍ବ ଭାବେ ମସ୍କୋରେ ଚମକିଲେ କଳାହାଣ୍ଡିଆ କଳାକାର, ଘରକୁ ଫେରିବା ବେଳେ ହେଲା ସ୍ନେହ ଭରା ସ୍ଵାଗତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ପ୍ରତିଭାର ୧୨ ଜଣ କଳାକାର ଋଷିଆର ମସ୍କୋ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ନିଜ ମାଟିକୁ ଫେରିଛନ୍ତି। ଫେରିବା ସମୟରେ କଳାକାରମାନଙ୍କୁ କେସିଙ୍ଗା, ପାଷ୍ଟିକୁଢି ଓ ଭବାନୀପାଟଣା ଠାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ବାରା ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପ୍ରୟାସ କ୍ରମେ ଗୁରୁ ଧ୍ୟାନାନନ୍ଦ ପଣ୍ଡା ଓ ଚିଣ୍ଟୁ ପ୍ରସାଦ ନାଏକଙ୍କ ନେତୃତ୍ୱରେ ଏହି କଳାକାର ମାନେ ଯାଇ ସୁଦୁର ମସ୍କୋ ଠାରେ କଳାହାଣ୍ଡିର ପାରମ୍ପରିକ ଲୋକନୃତ୍ୟ ଘୁମୁରା, ସିଙ୍ଗାରୀ ଓ ବଜାଶାଲ ନୃତ୍ୟ ପରିବେଷଣ କରି ସମଗ୍ର ମସ୍କୋ ସହରକୁ ସ୍ତବ୍ଧ କରିଦେଇଥିଲେ। ଛୁଆରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ ଏହି କଳାକାର ମାନଙ୍କ ଦ୍ବାରା ପରିବେଷିତ ନୃତ୍ୟ ଓ ଲୋକ ସଂଗୀତରେ ଝୁମିଉଠିଥିଲେ। ଘୁମୁରାର ନାଦରେ ପ୍ରକମ୍ପିତ ହୋଇଥିଲା କେମେଲିନ୍ ପାଖର ମାନେଝାନାୟା ଛକ। ବଜାଶାଲର ତାଳରେ ତାଳ ଦେଇ ନାଚି ଉଠିଥିଲେ ଋଷିଆର ଯୁବତୀମାନେ। ଏହି ସାଂସ୍କୃତିକ ଦଳ ପହଞ୍ଚିଲା ପରେ ଜିଲ୍ଲାରେ ଏକ ଖୁସିର ଲହରି ଖେଳିଯାଇଥିଲା। ଏହି କଳାକାର ମାନଙ୍କୁ ବିଭିନ୍ନ ସଂଗଠନ ମାନଙ୍କ ତରଫରୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି। ଏହି ଦଳରେ ଉସ୍ତାଦ୍ ବିସ୍‌ମିଲ୍ଲା ଖାନ୍ ସମ୍ମାନରେ ସମ୍ମାନୀତ ଲୋକଗୀତ ଗାୟକ ସର୍ବେଶ୍ଵର ଭୋଇ, ବିଶିଷ୍ଟ ଯୁବ ଢୋଲ ବାଦକ ଗୌରୀ ଶଙ୍କର ଦୁର୍ଗା, ତରୁଣ କୁମାର ଦୁର୍ଗା, ପ୍ରେମଲାଲ ନାଏକ, ମହାଦେବ ଭାଟି, ସାମନୁ ସୁନାନୀ, ତୁସାର ଧଙ୍ଗଡାମାଝୀ, ଲିପ୍ଲାରାଣୀ ବାରିକ, ପ୍ରିୟଙ୍କା ପ୍ରଧାନ, ସ୍ବେତାରାଣୀ ପାତ୍ର ପ୍ରମୁଖ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.