ଓଡ଼ିଆ ବାର୍ତ୍ତା/ କାଶିପୁର (ଆଲାରାମ ଭତ୍ରା): ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାରେ ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଓ ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ଦାବିରେ ଗୁରୁବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିଲେ କଂଗ୍ରେସ ସମେତ ୮ ରାଜନୈତିକ ଦଳ। କାଶିପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଉକ୍ତ ବନ୍ଦ ପାଳନକୁ ଅଦ୍ଭୁତ ପୂର୍ବ ସଫଳତା ମିଳିଛି। ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ କାଶିପୁର ସମେତ ବ୍ଲକର ବିଭିନ୍ନ ସ୍ଥାନରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ପରିବହନ, ବ୍ୟାଙ୍କ ସବୁ ବନ୍ଦ ରହିଥିଲା। ଏହି ଶାନ୍ତିପୂର୍ଣ୍ଣ ବନ୍ଦ ପାଳନରେ ହଳଧର ନାଏକ, ଜୋସେଫ ଭତ୍ରା, ଲବ ନାଏକ, ରବି ନାଏକ, ସୁରେନ୍ଦ୍ର ନାଏକ, ରାମ ନାଏକ, ନରେନ୍ଦ୍ର ନାଏକ, ଦାଉଦ୍ ବେନ୍ୟା, ମୋତିରାମ ଓ ଖାଲିରାମଙ୍କ ସମେତ ଅଞ୍ଚଳର ଅନେକ ଭଦ୍ର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।