ପୋଖରୀବନ୍ଧ-କନେର ରାସ୍ତା ପାଲଟିଛି ମରଣଯନ୍ତା : ଲାଭ ନେଇ ଠିକାଦାର ଚମ୍ପଟ !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧରୁ ବିଶ୍ୱନାଥପୁରକୁ ସଂଯୋଗ କରୁଥିବା ରାସ୍ତାରେ ରହିଛି ମୁକୁନ୍ଦପୁର ଛକ। ଏହି ରାସ୍ତାର ବାମପଟ ଦେଇ ୩ କି.ମି ଗଲେ ପଡେ ମେଲଘୁଟୁ ଗାଁ ଆଉ ସେଇଠୁ ଦକ୍ଷିଣ ପଟକୁ ୨ କିମି ଗଲେ କନେର ଗାଁ। ପକ୍କା ଓ ସ୍ଥାୟୀ ସଡ଼କ ଯୋଗାଯୋଗ ନଥିବା ଏହି ଗାଁକୁ ଗତ ପାଞ୍ଚବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇଥିଲା। ଟେଣ୍ଡର ପାଇଥିବା ଠିକାଦାର ଜଣକ ରାସ୍ତା ବି ତିଆରି କଲେ। କିନ୍ତୁ ଧିର ମନ୍ଥର ଗତିରେ କାମ ସାଙ୍ଗକୁ ଅତି ନିମ୍ନମାନର କାମ କରିବା ଯୋଗୁଁ ରାସ୍ତା ନିର୍ମାଣ ଶେଷ ନହେଉଣୁ ରାସ୍ତା ଉଜୁଡିବାକୁ ଲାଗିଲା। ଏପରିକି ପାଞ୍ଚବର୍ଷ ଗ୍ୟାରେଣ୍ଟି ଅବଧି ରହିଥିଲେ ହେଁ ଠିକାଦାର ସବୁତକ ଲାଭ ନେଇ ଚମ୍ପଟ ମାରିଲେ ସିନା ଥରୁଟିଏ ବି ରକ୍ଷଣାବେକ୍ଷଣ କିମ୍ବା ମରାମତି ଦାୟିତ୍ୱ ହାତକୁ ନେଲେ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଛି। କାମ ସରିଯିବା ପରେ ରାସ୍ତାକୁ ଭୁଲିଗଲେ ଠିକାଦାର। ଫଳରେ ରାସ୍ତା ସଂପୂର୍ଣ୍ଣ ଭାବେ ଉଜୁଡିଯିବା ସହିତ ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ସମସ୍ୟା ସମ୍ପର୍କରେ ଅଞ୍ଚଳବାସୀ ଅଭିଯୋଗ ଶୁଣାଣୀରେ ବାରମ୍ବାର ଅଭିଯୋଗ କରି କରି ଥକିଗଲେଣି କିନ୍ତୁ କୌଣସି ସୁଫଳ ମିଳୁନାହିଁ। ଏବେ ବର୍ଷାଋତୁ ଆସିଥିବାବେଳେ ପୋଖରୀବନ୍ଧ ପଞ୍ଚାୟତର ଇର୍କୁଲି, କରଲାକୁପା, ବିନାୟକପୁର, କନେର, ଇସାରବାରୁ, ମେଲଘୁଟୁ, ପୁଡାଉମେର, ବୁଢ଼ାଉମେର, ଉମେର, ପୋଖରୀ ପଦର, ମୁକୁନ୍ଦପୁର, ବେଢାଲଖମନ, ଭେଜିପଦର ଆଦି ଗାଁର ପାଞ୍ଚ ହଜାର ଉର୍ଦ୍ଧ୍ବ ଲୋକେ ନିର୍ଭର କରୁଥିବା ରାସ୍ତା ଯୋଗାଯୋଗ ବିଛିନ୍ନ ହେବା ଆଶଙ୍କା ଦେଖାଦେଇଛି। ଏନେଇ ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ, ନାଏବ ସରପଞ୍ଚ ପବିତ୍ର ବିଭାର, ବୁଦା ମାଝୀ, ମହେଶ୍ଵର ବେହେରା, ଦେବାର୍ଚ୍ଚନ ବେହେରା, ସଂକୀର୍ତ୍ତନ ବେହେରା, ସାଲେଶ କରୁଆଁ, ଚନ୍ଦ୍ରମଣି ବେହେରା, ଶୁକୃ ମାଝୀ, ତାଡି ମାଝୀଙ୍କ ସମେତ ଅଞ୍ଚଳବାସୀ ତୁରନ୍ତ ରାସ୍ତା ନିର୍ମାଣ କରାଯିବାକୁ ଦାବି କରିଛନ୍ତି। ନଚେତ ରାସ୍ତା ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଭଗବାନ ଗଉଡ଼ଙ୍କୁ ପଚାରିବାରୁ ରାସ୍ତା ନିର୍ମାଣ ଅବଧି ସହିତ ରକ୍ଷଣାବେକ୍ଷଣ ଓ ମରାମତି ଅବଧି ଗତ ମଇ ମାସରେ ଶେଷ ହୋଇଛି। ଏହି ରାସ୍ତା ନିର୍ମାଣ ଓ ମରାମତି ପାଇଁ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି, ଅନୁଦାନ ମଞ୍ଜୁର ହେଲେ କାମ ହେବ ବୋଲି ସେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.