ବିବାହିତା ମହିଳାଙ୍କ ମୃତ୍ୟୁ; ହତ୍ୟା ସନ୍ଦେହ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଥାନା ବଡ଼ପୋଡ଼ାଗୁଡ଼ା ଗ୍ରାମର ରିକିରାମ ପ୍ରଧାନୀଙ୍କ ସ୍ତ୍ରୀ ଉର୍ମିଳା ପ୍ରଧାନୀଙ୍କ ଶନିବାର ମୃତ୍ୟୁ ହୋଇଥିବାବେଳେ ଝିଅ ବାପା ଘର ଲୋକେ ହତ୍ୟା ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଆମପାଣି ଥାନା ପୁଲିସ ଘଟଣା ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଗତ ୫ବର୍ଷ ତଳେ ରିକିରାମ ସହିତ ତାରାପୁର ପଞ୍ଚାୟତ ଇଚ୍ଛାପୁର (ଗଞ୍ଜିଆଗୁଡା) ଗ୍ରାମର ରଥେ ପୂଝାରୀଙ୍କ ଝିଅ ଉର୍ମିଳାଙ୍କ ପ୍ରେମ ବିବାହ ହୋଇଥିଲା। ଏବଂ ସ୍ବାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ସମ୍ପର୍କରେ ସାଂସାରିକ ଜୀବନ ଚାଲିଆସୁ ଥିଲା। ପୁଅର ପରିବାର ଲୋକଙ୍କ କହିବା ଅନୁସାରେ ଆଜି ସକାଳୁ ଉର୍ମିଳା ଗାଧୋଇ ସାରି ଘରକୁ ଆସିବା ପରେ ଅଚାନକ ତଳେ ପଡ଼ିଯାଇଥିଲେ। ଶ୍ବଶୁର ଘର ଲୋକଙ୍କୁ ଜ୍ବାଇଁ ରିଖି ଖବର ଦେବା ସହ ଉର୍ମିଳାଙ୍କୁ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଉର୍ମିଳାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଅନ୍ୟପଟେ ଝିଅର ବାପା ତାଙ୍କ ଝିଅର ସ୍ବାସ୍ଥ୍ୟ ଠିକ୍ ଥିବା ଓ କୌଣସି ରୋଗରେ ମଧ୍ୟ ପିଡୀତା ନଥିବାବେଳେ ହଠାତ୍ ଝିଅ ମରିଯିବା କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏବଂ ଜ୍ବାଇଁ ଓ ତାଙ୍କ ଶ୍ବଶୁର ଘର ଲୋକେ ହତ୍ୟା କରି ଭିନ୍ନରୁପ ଦେଉଥିବା ଝିଅର ବାପା ରଥେ ପୁଝାରୀ ସନ୍ଦେହ କରି ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଆମପାଣି ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶବ ଜବତ କରି ବ୍ୟବଚ୍ଛେଦ କରାଇଥିଲେ। ମାଜିଷ୍ଟ୍ରେଟ ଦାୟିତ୍ବରେ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କ ଉପସ୍ଥିତରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.