ଚାଷୀଙ୍କୁ ଆର୍ଥିକ ସମୃଦ୍ଧି କରୁଛି ପାମ ଅଏଲ ଚାଷ

ଚାରାରୁ ପାଣି ପମ୍ପ ଯାଏଁ ରିହାତିରେ ଯୋଗାଉଛନ୍ତି ସରକାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୋଷେଇ ଘରର ରାଜା ସାଜିଥିବା ପାମ ତେଲ ର ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟି ଚିନ୍ତା ରେ ରହିଥିବା ବେଳେ ସରକାରଙ୍କ ମଧ୍ୟ ମୁଣ୍ଡ ବ୍ୟଥାର କାରଣ ସାଜିଛି ପାମ ତେଲର ଦର ବୃଦ୍ଧି। ୫୦ ଟଙ୍କା କେଜି ରୁ ମାତ୍ର ୫ ବର୍ଷ ମଧ୍ୟରେ ଏହା ୧୬୦ ଟଙ୍କା ରେ ପହଞ୍ଚି ସାରିଲାଣି। ପରିବା ଦର ଯେଉଁ ଭଳି ଆକାଶ ଛୁଆଁ ହୋଇଛି। ରାସନ ସାମଗ୍ରୀ କିଣିବା ବେଳେ ଖାଇବା ତେଲ ପାମ ଅଏଲ କିଣିବା ସମୟରେ ନାକେଦମ ହେଉଛନ୍ତି ଖାଉଟି।

ଆଗରୁ ମାଲେସିଆ ଓ ଇଣ୍ଡୋନେସିଆରୁ ପାମ୍ ତେଲ ଆମଦାନୀ କରୁଥିଲା ଭାରତ। ଏବେ ଏହା ବନ୍ଦ ହୋଇଯାଇଅଛି। ପ୍ରତ୍ୟେକ
ପରିବାର ପାଇଁ ଦୈନନ୍ଦିନ ଜୀବନ ରେ ଅତ୍ୟାବଶ୍ୟକ ହୋଇପଡିଥିବା ଏହି ପାମ ତେଲ ର ଅଭାବ ଫଳରେ ଖାଇବା ତେଲର ଅହେତୁକ ଦର ବୃଦ୍ଧି ଘଟିଛି। ଏବେ କେବଳ ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ରାଜ୍ୟର ଚାଷୀ ଅଏଲ ପାମ ଚାଷ କରି ଆସୁଥିବା ବେଳେ ଓଡ଼ିଶା ର ଚାଷୀ ମଧ୍ୟ ପଡିଆ ଜମି ଗୁଡିକରେ ପାମ ଅଏଲ ଚାଷ କରି ଆର୍ଥିକ ସମୃଦ୍ଧି ହୁଅନ୍ତୁ ବୋଲି ଓଡ଼ିଶା ସରକାର ଚାଷୀଙ୍କୁ ରିହାତି ପ୍ରଦାନ କରୁଛନ୍ତି।

ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ଅନେକ ଚାଷୀ ସରକାରଙ୍କର ପାମ ଅଏଲ ଚାଷ ଯୋଜନାରେ ସାମିଲ ହୋଇ ଏହି ଚାଷ ପ୍ରତି ମନୋନିବେଶ କରୁଥିବା ଦେଖିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ପାମ ଅଏଲ ଚାଷ ପାଇଁ ରିହାତି ଯୋଜନାକୁ ଜିଲ୍ଲା ଉଦ୍ୟାନ ବିଭାଗ ମାଧ୍ୟମରେ ଫଳବତୀ କରୁଛି “ସର୍ଭେ ସାଇ ଏଡିବୁଲ ଅଏଲ” କମ୍ପାନୀ। କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକ ରେ ଚାଷୀଙ୍କୁ ମାଗଣାରେ ଚାରା ଯୋଗାଇ ଦେଉଥିବା ଦେଖିବାକୁ ମିଳୁଛି।

ପ୍ରତି ବ୍ଲକ ରେ ରହିଥିବା ଉଦ୍ୟାନ ବିଭାଗ ଅଧିକାରୀ ମାନଙ୍କ ସହ ଉତ୍ତମ ସମନ୍ଵୟ ରଖି ପଡିଆ ଜମି ଓ ପାଣି ସୁବିଧା କରୁଥିବା ଚାଷୀଙ୍କ ତାଲିକା ପ୍ରସ୍ତୁତ କରି ମାଗଣାରେ ଚାରା ପ୍ରଦାନ କରାଯାଉଥିବା ଜଣା ପଡ଼ିଛି। କପା, କଦଳୀ, କାଜୁ ଭଳି ଖର୍ଚ୍ଚାନ୍ତ ଓ ବହୁ ପରିଶ୍ରମ ଯୁକ୍ତ ଚାଷ କରି ନୟାନ୍ତ ହୋଇ ପଡ଼ୁଥିବା ଚାଷୀ ସରକାରଙ୍କ ରିହାତି ଯୋଜନାରେ ପାମ ଅଏଲ ଚାଷ ପାଇଁ ବେଶ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।

ସରକାରଙ୍କ ପାମ ଅଏଲ ଚାଷ ପାଇଁ ରିହାତି ଯୋଜନା ରେ ଚାରା ମାଗଣାରେ ଚାଷୀଙ୍କୁ ପ୍ରଦାନ କରାଯାଉଥିବା ବେଳେ ଏକ ହେକ୍ଟର ଚାଷ କରୁଥିବା ଚାଷୀଙ୍କୁ ରିହାତି ଦରରେ ମୋଟର ପମ୍ପ ପ୍ରଦାନ କରୁଛନ୍ତି ସରକାର। ସେହିଭଳି ୫ ଏକର ଜମି ରେ ପାମ ଅଏଲ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଚାଷୀଙ୍କୁ ୫୦ ପ୍ରତିଶତ ରିହାତିରେ ଏଵଂ ସର୍ବାଧିକ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରୁଛନ୍ତି ସରକାର। ୯ ମିଟର ବ୍ୟବଧାନ ରେ ଲାଗୁଥିବା ପାମ ଅଏଲ ଗଛ ମଝିରେ ଅନ୍ତଃ ଫସଲ ପାଇଁ ୪ ବର୍ଷରେ ହେକ୍ଟର ପ୍ରତି ୨୧,୦୦୦ ଟଙ୍କା, ରକ୍ଷଣା ବେକ୍ଷଣ ପାଇଁ ୨୧,୦୦୦ ଟଙ୍କା, ଭର୍ମି କମ୍ପୋଷ୍ଟ ଟାଙ୍କୀ ନିର୍ମାଣ ପାଇଁ ୧୫,୦୦୦ ଟଙ୍କା, ୮୦ ପ୍ରତିଶତ ରିହାତିରେ ବୁନ୍ଦା ଜଳସେଚନ ପାଇପ ପ୍ରଦାନ କରୁଛନ୍ତି ସରକାର।

ଏହାବାଦ ଏହି ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିବା ନିମନ୍ତେ ଆହୁରି ଅନେକ ସୁବିଧା କରିଥିବା ଜାଣିବାକୁ ମିଳୁଛି। ଏହି ହାଇବ୍ରିଡ ପାମ୍ ଅଏଲ୍ ଗଛ ରୋପଣ ର ତିନି ବର୍ଷରୁ ଫଳ ପ୍ରଦାନ କରୁଥିବା ବେଳେ ପ୍ରତି ଏକର ଚାଷ ରୁ ଚାଷୀ ପ୍ରତି ମାସରେ ୨୦ ରୁ ୩୦ ଟନ ଫଳ ଅମଳ କରି ପାରିବ। ଟନ ପ୍ରତି ୧୮,୭୦୦ ଟଙ୍କା ସରକାର ସହାୟକ ମୂଲ୍ୟ ଧାର୍ଯ୍ୟ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ତରଫରୁ ମଧ୍ୟ ଚାଷୀଙ୍କୁ ବୋନସ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ଏହି ପାମ ଅଏଲ ଗଛ ୩ ବର୍ଷରୁ ୩୦ ବର୍ଷ ଯାଏଁ ଫଳ ପ୍ରଦାନ କରିଥାଏ ବୋଲି ଜାଣିବାକୁ ମିଳିଛି। ଅମଳ କରିଥିବା ଚାଷୀଙ୍କ ଠାରୁ ପ୍ରତି ମାସରେ ସରକାର ଏହାର ଉଚିତ ମୂଲ୍ୟ ଦେଇ କ୍ରୟ କରିବେ ବୋଲି ଜଣାପଡିଛି।

ନର୍ଲା ବ୍ଲକ ର ଶେରଗଡ଼ ଗ୍ରାମ ପଞ୍ଚାୟତ ର ଡେଙ୍ଗସର୍ଗି ଗ୍ରାମରେ ୨୫ ଏକର ଏକ ସଫଳ ପାମ ଅଏଲ ଫାର୍ମ ରହିଥିବା ବେଳେ ନର୍ଲା ବ୍ଲକ ର ବାଗପୁର, ବିଲାଟ, ନର୍ଲା, ଛତାମହୁଲ, କମେଗାଁ, ଜୁର୍କାଭଟା ପ୍ରଭୃତି ସ୍ଥାନର ଅନେକ ଚାଷୀ ସରକାରଙ୍କ ରିହାତି ଯୋଜନାରେ ପାମ ଅଏଲ ଚାଷ କରିଥିବା ଦେଖିବାକୁ ମିଳିଛି। ସରକାରଙ୍କ ଉଦ୍ଦେଶ୍ୟ ଅଏଲ ପାମ ଚାଷ କରି ଚାଷୀ ଆର୍ଥିକ ସମୃଦ୍ଧ ହୁଅନ୍ତୁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.