ଶ୍ରାବଣ ଦ୍ବିତୀୟ ସୋମବାର: ଦେବଗିରି ମଠରେ ଦ୍ବାଦଶ ରୁଦ୍ର ବନ୍ଦନା ଓ ଜଳାଭିଷେକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ବୁଢୀପଦର ଠାରେ ଥିବା ଦେବଗିରି ମଠରେ ଆଜି ଦ୍ବାଦଶ ରୁଦ୍ର ବନ୍ଦନା ସହ ମହାଦେବଙ୍କ ବିଶେଷ ପୂଜା ଅନୁଷ୍ଠିତ ହୋଇଛି। ଏହାସହ ପୂଜା ପାଇଛନ୍ତି ଦଧିବାମନ ଜୀଉ, ମହାମାୟା ଚଣ୍ଡୀ, ଗଣପତି ବାବା, କୁମାର କାର୍ତ୍ତିକେୟ, ବାମନେନ ବୁଢ଼ୀ, ଯୋଗିନୀ ଆଦି ମଠର ଅନେକ ଦେବାଦେବୀ। ଦ୍ବାପର ଯୁଗରେ ମହାରାଜ ଗୋସିଙ୍ଗ ଦୈତ୍ୟ ଦେବଗିରି ଗୁମ୍ଫା ମଧ୍ୟରେ ଆରଧନା କରୁଥିବା ଶିବଲିଙ୍ଗକୁ ଶ୍ରାବଣ ଦ୍ବିତୀୟ ସୋମବାରରେ ଜଳାଭିଷେକ କରିଛନ୍ତି ହଜାର ହଜାର ଭକ୍ତ ବୃନ୍ଦ। ହରହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଛି ଦେବଗିରି। ସୋମବାର ଶ୍ରାବଣ କୃଷ୍ଣପକ୍ଷ ଏକାଦଶୀ ତିଥି ରୋହିଣୀ ନକ୍ଷତ୍ର ସଂଯୋଗ ହୋଇଥିବାରୁ ଏହି ପୂଜାର ବିଶେଷ ପ୍ରାଧାନ୍ୟ ରହିଛି। ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଦେବଗିରି ମଠର ଗୁମ୍ଫା ମଧ୍ୟସ୍ଥ କାଶି ବିଶ୍ୱନାଥ ମହାଦେବଙ୍କୁ ଜଳାଭିଷେକ କରିଛନ୍ତି। ଦେବଗିରି ମଠର ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ ଓ ସେବକ ଟିକେ ଗଉଡ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ବିଜୟ ଧଙ୍ଗଡାମାଝୀ, ପ୍ରଦୀପ ଧଙ୍ଗଡାମାଝୀ, ସଞ୍ଜୟ ଧଙ୍ଗଡାମାଝୀ, ରଜନି ଗଉଡ, ସତ୍ରୁଘନ ଧଙ୍ଗଡାମାଝୀ ପ୍ରମୁଖ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନର୍ଲା ପୋଲିସ ମୁତୟନ ହୋଇଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ବୁଢୀପଦର ଠାରେ ଥିବା ଦେବଗିରିର ସମୃଦ୍ଧ ପୃଷ୍ଠଭୂମୀ ରହିଛି। ପ୍ରାଚୀନ ମହାକାନ୍ତାର ସଭ୍ୟତାର ସ୍ବାକ୍ଷର ବହନ କରୁଥିବା ଏହି ସ୍ଥାନରେ କଳାହାଣ୍ଡି ନାଗବଂଶୀ ମହାରାଜ ମାନଙ୍କ ଦ୍ବାରା ନିର୍ମିତ ହୋଇଛି ଦଧିବାମନ ଜୀଉ ମନ୍ଦିର ଏବଂ ଉତ୍କଳୀୟ ବୈଷ୍ଣବ ଗୋଷ୍ଠୀର ସନ୍ୟାସୀ ସ୍ବର୍ଗତ ମହନ୍ତ ଦିନବନ୍ଧୁ ଦାସଙ୍କ ଦ୍ବାରା ସ୍ଥାପିତ ହୋଇଛି ଦେବଗିରି ମଠ। ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ମଠ ରାଜ୍ୟର ଏକ ଅନନ୍ୟ ଦର୍ଶନୀୟ ସ୍ଥାନ ଭାବେ ଓଡ଼ିଶା ପର୍ଯ୍ୟଟନର ମାନ୍ୟତା ପାଇଛି। ଭବାନୀପାଟଣା ଠାରୁ ଏହି ସ୍ଥାନର ଦୂରତା ୩୦ କିମି ହୋଇଥିବାବେଳେ ଉତ୍କେଲା ବିମାନବନ୍ଦର ୧୪ କିମି ଓ ରୁପ୍ରାରୋଡ ରେଳଷ୍ଟେସନ ୪ କିମି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.