ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଘାଟିତ; ଯୋଗ ଦେଲେ ଆଠଟି ଭାଷାର ଲେଖକ

ପୂର୍ବାଞ୍ଚଳ ହେଉଛି ସାହିତ୍ୟର ଗନ୍ତାଘର -ମାଧବ କୌଶିକ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ରଜତ ବଂଶଲ): ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ କେନ୍ଦ୍ର ସାହିତ୍ୟ ଅକାଦେମି ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଉଦ୍ୟମରେ ଆୟୋଜିତ ଦ୍ୱିଦିବସୀୟ ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ସଭାପତିତ୍ୱ କରିଥିଲେ ସାହିତ୍ୟ ଅକାଦେମିର ସଭାପତି ତଥା ସପୁରିଚିତ କବି ଡକ୍ଟର ମାଧବ କୌଶିକ ।

ନିଜ ବକ୍ତବ୍ୟରେ ସେ କହିଥିଲେ ଯେ ଭାରତର ପୂର୍ବାଞ୍ଚଳ ହେଉଛି ସାହିତ୍ୟର ଗନ୍ତାଘର। ଏହି ଅଞ୍ଚଳ ଅନେକ ପ୍ରସିଦ୍ଧ ସାହିତ୍ୟ ସାଧକଙ୍କୁ ଜନ୍ମ ଦେଇଛି। ସାଂପ୍ରତିକ ସମୟର ସାହିତ୍ୟ ସମ୍ପକରେ ସେ କହିଥିଲେ ଯେ, ଏବେ ପ୍ରଯୁକ୍ତି ବିଦ୍ୟା ବଳରେ ଲୋକ ସାହିତ୍ୟ ତଥା ଲୁକ୍କାୟିତ ସାରସ୍ବତ ସମ୍ପଦର ସୁରକ୍ଷା ତଥା ପ୍ରସାର କରିପାରିବା। କିନ୍ତୁ ଏହା ଯେମିତି ଆମକୁ ଦାସ କରି ନ ଦିଏ।

ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଅକାଦେମିର ସଚିବ ଡକ୍ଟର କେ. ଶ୍ରୀନିବାସରାଓ । ସେ ସମ୍ମିଳନୀ ଆୟୋଜନର ଗୁରୁତ୍ୱ ଏବଂ ପୂର୍ବାଞ୍ଚଳର ସାହିତ୍ୟର ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ହରପ୍ରସାଦ ଦାସ ଭାରତୀୟ ସାହିତ୍ୟର ମୌଳିକ ଧାରା ଓ ତତ୍ତ୍ବ ସଂପର୍କରେ କହିଥିଲେ । ପାଶ୍ଚାତ୍ୟ ସାହିତ୍ୟଠୁ ଭାରତୀୟ ସାହିତ୍ୟ ଅଧିକ ଗୁରୁତ୍ବ ବହନ କରେ ବୋଲି ସେ ଯୁକ୍ତି ବାଢିଥିଲେ।

ସାହିତ୍ୟ ଅକାଦେମିର ପୂର୍ବାଞ୍ଚଳୀୟ ଉପଦେଷ୍ଟା ପରିଷଦର ଆବାହକ ଡକ୍ଟର ଗୌରହରି ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସେ ଓଡ଼ିଶାରେ ଏଭଳି ବହୁଭାଷୀ କାର୍ଯ୍ୟକ୍ରମ ଆୟୋଜନ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ସାହିତ୍ୟ ଅକାଦେମି ଦ୍ୱାରା ପ୍ରକାଶିତ ପୁସ୍ତକ ଦୟାଲାଲ ଯୋଶୀ (ଓଡ଼ିଆ), ଶୂନ୍ୟରେ ହସ୍ତାକ୍ଷର (ଓଡ଼ିଆ), ଅବୋଥିରା (ବୋଡ଼ୋ), ଟୋଟୋଦେର ଉପକଥା (ବଙ୍ଗଳା), ଅତିକ୍ରମ (ଅହମିଆ) ଏବଂ ଏନ ଇନ୍ଟ୍ରଡକ୍ସନ୍ ଟୁ ନାଗା ଫୋକ୍ ସଙ୍ଗ (ଇଂରାଜୀ) ଉନ୍ମୋଚିତ ହୋଇଥିଲା ।

ପ୍ରଥମ ଅଧିବେଶନରେ ଅହମିଆ ଉପଦେଷ୍ଟା ପରିଷଦର ଆବାହକ ଦିଗନ୍ତ ବିଶ୍ୱ ଶର୍ମାଙ୍କ ଅଧ୍ୟକ୍ଷତାରେ କବିତା ପାଠ କରିଥିଲେ ବର୍ଣ୍ଣାଳି ବୋରଗୋହେନ (ଅହମିଆ), ଅର୍ଣ୍ଣବ ସାହା (ବଙ୍ଗଳା), କୃଷ୍ଣ ମୋହନ ଝା (ମୈଥିଳି), ମୋହନ ସୁବେଦି (ନେପାଳୀ), ଅପର୍ଣ୍ଣା ମହାନ୍ତି (ଓଡ଼ିଆ) ଏବଂ ଆନ୍ପା ମାର୍ଣ୍ଡି (ସାନ୍ତାଳୀ) ।

ଶ୍ରୀ ବିଶ୍ୱ ଶର୍ମା ଭାରତୀୟ କବିତାର ବୈଶିଷ୍ଟ୍ୟ ଏବଂ ସୌନ୍ଦର୍ଯ୍ୟବୋଧ ସଂପର୍କରେ ମତାମତ ଦେଇଥିଲେ । ଦ୍ୱିତୀୟ ଅଧିବେଶନରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ ଗାଳ୍ପିକ ଅଧ୍ୟାପକ ବିଶ୍ୱରଞ୍ଜନ ଏବଂ ଗଳ୍ପ ପାଠ କରିଥିଲେ ବିନାୟକ ବନେ୍ଦାପାଧ୍ୟାୟ (ବଙ୍ଗଳା), ସାଧନା ବ୍ରହ୍ମ (ବୋଡ଼ୋ), ଅଶୋକ (ମୈଥିଳି) ଓ ଦେବପ୍ରସାଦ ଦାଶ (ଓଡ଼ିଆ) ।

ପଠିତ ଗଳ୍ପ କବିତାଗୁଡ଼ିକରେ ନିଜ ନିଜ ଅଞ୍ଚଳର ସଂସ୍କୃତି, ପରମ୍ପରା ସହିତ ସାଂପ୍ରତିକ ସମାଜର ବହୁବିଧ ସ୍ୱର ଅନୁରଣିତ ହୋଇଥିଲା । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସାହିତ୍ୟ ଅକାଦେମି କୋଲକାତା କାର୍ଯ୍ୟଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ ।

ଆଜିର କାର୍ଯ୍ୟକ୍ରମରେ ବହୁ ଲେଖକ ଲେଖିକା, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଆସନ୍ତା କାଲି ଦୁଇଟି ଅଧିବେଶନରେ ବହୁଭାଷୀ ଗଳ୍ପ ଓ କବିତା ପାଠ ସହିତ ଅନ୍ୟ ଏକ ଅଧିବେଶନରେ ପୂର୍ବାଞ୍ଚଳୀୟ ସାହିତ୍ୟରେ ସାଂପ୍ରତିକ ଧାରା ଶୀର୍ଷକରେ ଆଲୋଚନା କରାଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.