ଜୀବିକା ଯୋଗାଉଛି ଜଙ୍ଗଲଜାତ ଦ୍ରବ୍ୟ କରଡି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସବୁଜ ସୁନା ବାଉଁଶର ଆଉ ଏକ ଉତ୍ପାଦ ଦେଉଛି କରଡ଼ି। ଦିନ ଥିଲା କରଡିର ପିରିଚୟ ନଥିଲା। ହେଲେ ଏବେ କରଡି ବିନା ଖାଦ୍ୟ ଅଧା ଅଧା ଲାଗୁଛି। ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଏହାର ଚାହିଦା ବଢିବାକୁ ଲାଗିଛି। ଏବେ ଆଦିବାସୀଙ୍କ ଜୀବନ ଜୀବିକା ପାଲଟିଛି କରଡି। ନାଁଟି ଶୁଣିବାକୁ ଯେମିତି ଏଥିରୁ ପ୍ରସ୍ତୁତ ଖାଦ୍ୟର ସ୍ବାଦ ମଧ୍ୟ ସେମିତି ନିଆରା। ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ରାସ୍ତା କଡ଼ ଓ ବଜାରରେ ରାଜ କରୁଛି କରଡି। ଏହାକୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରି ଗୁଜୁରାଣ ମେଣ୍ଟାଉଛନ୍ତି ଲାଞ୍ଜିଗଡ଼ ଅଞ୍ଚଳର କିଛି ଆଦିବାସୀ ପରିବାର। ଏହାକୁ ବିକ୍ରି କରି ରୋଜଗାରର ନୂଆ ରାସ୍ତା ଖୋଜି ପାଇଛନ୍ତି ଅଞ୍ଚଳର ବ୍ୟବସାୟୀ।
ଜଙ୍ଗଲଜାତ ଏହି ଦ୍ରବ୍ୟର ଚାହିଦା ଅଧିକ। ଆଉ ଏବେ ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥର ସିକେରକୁପା ଠାରୁ ପୋଖରୀବନ୍ଧ ରାସ୍ତା କଡ଼ରେ କରଡ଼ି ବିକି ଆଦିବାସୀ ମାନେ ନିଜ ଗୁଜୁରାଣ ମେଣ୍ଟାଇଉଛନ୍ତି। ଅନ୍ୟପଟେ ଯିଏ ବଜାରକୁ ଆସୁଛି ସେ ଅନ୍ୟ ପନିପରିବା ଭଳି କରଡିକୁ ମଧ୍ୟ ସାଥିରେ ନେବାକୁ ଭୁଲୁନାହିଁ । ଆଉ ବଜାରରେ ଏହାର ଚାହିଦା ଯୋଗୁଁ ବିକ୍ରି କରୁଥିବା ବେପାରୀ ମଧ୍ୟ ବେଶ ଲାଭବାନ ହେଉଛନ୍ତି। ସାଧାରଣତଃ ଗଜା ବାଉଁଶକୁ କରଡି କୁହାଯାଇଥାଏ। ଘଞ୍ଚ ଜଙ୍ଗଲ ଘେରା ପାହାଡ଼ର ବାଉଁଶ ମୂଳରୁ ଏହି କରଡ଼ି ମିଳିଥାଏ । ସାଧାରଣତଃ ଶ୍ରାବଣ ମାସରେ ଏହା ଗଜା ଦେଇଥାଏ । ଘଞ୍ଚ ଜଙ୍ଗଲ ପାର ହୋଇ ଆଦିବାସୀ ମାନେ ଉପଯୁକ୍ତ କରଡିକୁ ଠାବ କରି ଏହାକୁ ଛୋଟ ଛୋଟ ଖଣ୍ଡ କରିଥାନ୍ତି। ଗଜା ବାଉଁଶକୁ ଭାଙ୍ଗି ଆଣିବା ପରେ ଚୋପା ଛଡାଇ ଭଲଭାବେ ଧୋଇଥାନ୍ତି। ଏହାପରେ କରଡିକୁ ନିକଟସ୍ଥ ବଜାରକୁ ନେଇ ବିକ୍ରି କରିଥାନ୍ତି। କରଡ଼ି ଏକ ସୁସ୍ବାଦୁ ଖାଦ୍ୟ ଏବଂ ଏଥିରୁ କରଡ଼ି ଭଜା, ତରକାରୀ, କରଡ଼ି ଲେଥା, ପିଠା, ବରା ପରି ବିଭିନ୍ନ ପ୍ରସ୍ତୁତ ଖାଦ୍ୟ ପାଟିକୁ ବେଶ ସୁସ୍ଵାଦୁ ଲାଗିଥାଏ। ସେହିପରି କରଡ଼ି ଶୁଖାଇ ମଧ୍ଯ ରଖାଯାଏ ଯାଏ। କରଡ଼ିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଓ ଡି ରହିଥାଏ। ଫଳରେ ଲୋକଙ୍କ ପସନ୍ଦର ଖାଦ୍ୟ ହେଉଛି କରଡ଼ି । ବାଉଁଶ ପ୍ରସ୍ତୁତ ଏହି ଖାଦ୍ୟ ଆଦିବାସୀଙ୍କ ଏକ ପସନ୍ଦର ଖାଦ୍ୟ ହେଉଛି କରଡି। ଏହି କରଡ଼ି ଏବେ ଆଦିବାସୀଙ୍କ ରୋଜଗାରର ମାଧ୍ୟମ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.