ଜିଲ୍ଲାସାରା ଘୁରି ବୁଲୁଛି ନକଲି ପାଞ୍ଚଶହ ଟଙ୍କିଆ ନୋଟ : ବ୍ୟବସାୟୀଙ୍କୁ ସତର୍କ କଲା ବଣିକ ସଂଘ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାର ବିଭିନ୍ନ ଟାଉନ ସମେତ ଗ୍ରାମାଞ୍ଚଳ ରେ ୫ ଶହ ଟଙ୍କିଆ ନକଲି ନୋଟ୍‌ ଏ ହାତରୁ ସେ ହାତକୁ ଘୂରି ବୁଲୁଥିବା ନେଇ ବ୍ୟବସାୟୀ ଏବଂ ଲୋକଙ୍କ ଭିତରେ ଭୟ ଦେଖାଯାଇଛି। ବିଶେଷକରି ମୂଲିଆ ଶ୍ରେଣୀ ଲୋକଟି ଯଦି ଏଭଳି ନକଲି ନୋଟ୍‌ ପାଇଯିବେ ତେବେ ତାଙ୍କର ଦୁଇ ଦିନର ରୋଜଗାର ମଧ୍ୟ ହରାଇ ବସିବେ ବୋଲି ଚର୍ଚ୍ଚା ହେଉଛି। ଏଇ କିଛିଦିନ ହେଲା ବ୍ୟବସାୟୀଙ୍କ ପାଖରେ ଜାଲ ପାଞ୍ଚଶହ ଟଙ୍କିଆ ନୋଟ ପହଁଚିଥିବା ବେଳେ ଉକ୍ତ ଜାଲ ନୋଟକୁ ଚିହ୍ନିବା ଏତେ ସହଜ ହେଉନି ଅସଲି ଭଳି ଅବିକଳ ଏହି ଜାଲ ନୋଟକୁ ଦେଖିଲେ କିଛି ଫରକ ଜଣାପଡ଼ୁନି। ବ୍ୟାଙ୍କରେ ନକଲି ନୋଟ ପ୍ରତି ସତର୍କ ନଜର ରଖି ଜାଲନୋଟକୁ ଚିହ୍ନଟ କରି ତା ଉପରେ ନାଲି ଗାର ଟଣା ଯାଉଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ଜାଲନୋଟକୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ବ୍ୟବସାୟ ସମୟରେ ଗହଳିର ସୁଯୋଗ ହେଉ କିମ୍ବା ବ୍ୟବସାୟୀଙ୍କ ସରଳତାର ଫାଇଦା ଉଠାଇ ଜାଲ ନୋଟକୁ ଦେଇ ଫାଇଦା ନେବାରେ କିଛି ଠକ ଲାଗି ପଡ଼ିଛନ୍ତି। ଏହିଜାଲ ନୋଟ ବିଷୟରେ ଖବର ପାଇବା ପରେ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ସମସ୍ତ ବ୍ୟବସାୟୀଙ୍କୁ ସତର୍କତାର ସହ ବ୍ୟବସାୟ କରିବାକୁ ପରାମର୍ଶ ଦେବା ସହ ନୋଟକୁ ରଖିବା ପୂର୍ବରୁ ଭଲଭାବରେ ଯାଞ୍ଚ କରି ରଖିବାକୁ ପରାମର୍ଶ ଦିଆଯାଇଛି। ସନ୍ଦେହ ହେଲେ ପୁଲିସକୁ ସୂଚନା ଦେବାକୁ କୁହାଯାଇଛି। ପ୍ରକାଶ ଯେ, ଦାରିଙ୍ଗବାଡି ଥାନା ଅଞ୍ଚଳ ସିମନବାଡ଼ିର ଜନୈକ ବ୍ୟବସାୟୀଙ୍କ ଠାରୁ ଜଣେ ନାମିଦାମୀ କମ୍ପାନୀର ଡିଷ୍ଟ୍ରିବ୍ୟୁଟର ସାମଗ୍ରୀ ଦେଇ ତାହା ବଦଳରେ ଟଙ୍କା ନେଇଥିଲେ ଓ ସେ ନେବା ସମୟରେ ସିମନବାଡ଼ିର ଜନୈକ ବ୍ୟବସାୟୀ ଉକ୍ତ ସନ୍ଦେହ କରାଯାଉଥିବା ନୋଟ୍‌କୁ ମଧ୍ୟ ସାଥୀରେ ନେବାକୁ କହିବା ସହ ଏହା ବ୍ୟାଙ୍କରେ ଏହା ନକଲି କି ନାହିଁ ବୁଝିଦେବ କହିଥିଲେ ଏବଂ ଡିଷ୍ଟ୍ରିବ୍ୟୁଟର ଜଣକ ନେଇ ବାଲିଗୁଡ଼ା ବ୍ୟାଙ୍କରେ ଯାଞ୍ଚ କରାଇ ସ୍ପଷ୍ଟ ହୋଇଥିଲେ ଯେ ତାହା ନକଲି ବୋଲି। ସୂଚନାଯୋଗ୍ୟ, ଉକ୍ତ ନକଲି ନୋଟ୍‌ ବୃଦ୍ଧ ବ୍ୟବସାୟୀଙ୍କୁ କିଏ ଧରାଇଦେଇଛି ସେ ତାକୁ ଚିହ୍ନିବା ସହଜ ହୋଇପାରି ନ ଥିଲା। ତେବେ ବ୍ୟବସାୟ ସାରିବା ପରେ ରାତିରେ ଦୋକାନ ବନ୍ଦ ପୂର୍ବରୁ ଟଙ୍କା ସାଇତି ଗଣିବା ବେଳେ ୨ଟି ୫ ଶହ ଟଙ୍କିଆ ନୋଟ୍‌ ହାତକୁ ପତଳା ଲାଗିଥିଲା। ଫଳରେ ଜନୈକ ବ୍ୟବସାୟୀ ଜଣକ ଉକ୍ତ ନୋଟ୍‌କୁ ଅଲଗା କରି ରଖିଥିଲେ। ଉକ୍ତ ନକଲି ନୋଟ୍‌ର କ୍ରମିକ ସଂଖ୍ୟା (5NT 339802) ହୋଇଥିବା ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ଅଞ୍ଚଳରେ ୫ ଶହ ଟଙ୍କିଆ ନକଲି ନୋଟ୍‌କୁ ନେଇ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥିବା ବେଳେ କିଏ ଓ ଏହି ରାକେଟ ପଛରେ ସମ୍ପୃକ୍ତ ଅଛି ତାକୁ ଧରିବାକୁ ପୋଲିସ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.