ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ସାନ୍ଦୁଲ ନଦୀ ଠାରୁ ନର୍ଲା, ସର୍ଗିଗୁଡା, ନର୍ଲାରୋଡ, ବେହେରାପାଟି କୁ ନଦୀ ପଠାରେ ଇନଟେକ ୱେଲ କରାଯାଇ ମୋଟର ମାଧ୍ୟମରେ ୨୦୦୦ ମସିହାରୁ ଚାଲିଛି ପାନୀୟ ଜଳ ଯୋଗାଣ । ହେଲେ ଅନେକ ସମୟରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ହେଲେ ଦୀର୍ଘ ୨୫ ବର୍ଷରୁ ଚାଲି ଆସିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପଟି ମାଟି ତଳେ ବିଛା ଯାଇଥିବା ପାଇପ ଗୁଡିକ ଫାଟିବା ଫଳରେ ମଧ୍ୟ ସପ୍ତାହ ବ୍ୟାପୀ ପାନୀୟ ଜଳ ଯୋଗାଣରେ ବ୍ୟାଘାତ ଉପୁଜି ଥାଏ । ଅବଶ୍ୟ ମାଟି ତଳେ ବିଛାଯାଇଥିବା ପାଇପ ଗୁଡିକ ବହୁତ ପୁରୁଣା ହୋଇ ବାରମ୍ବାର ଫାଟିବା ଓ ଠିକ ଭାବରେ ପାନୀୟ ଜଳ ଯୋଗାଣ ରେ ବ୍ୟାଘାତ ଉପୁଜିବା ହେତୁ ଗତ ୨୦୨୧ ମସିହାରେ ପୁରୁଣା ପାଇପ ଗୁଡିକୁ ପରିବର୍ତ୍ତନ କରାଯାଇ ନୂଆ ପାଇପ ସବୁ ପକାଯାଇଛି । ହେଲେ ଜଳ ଯୋଗାଣରେ ବ୍ୟାଘାତ ପ୍ରକ୍ରୀୟା ର ସମାଧାନ କେବେ ମଧ୍ୟ ହୋଇପାରୁନି । ଛତିକୁଡା ଛକରୁ ନର୍ଲା ଯାଏଁ ଏବେ ଚାଲିଛି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ । ରାସ୍ତା ଦୁଇ ପାର୍ଶ୍ଵସ୍ଥ ମାଟି ଖୋଳାଯାଇ ରାସ୍ତା ଚଉଡା କରୁଛି ଠିକାଦାର । ରାସ୍ତା ପାର୍ଶ୍ବରେ ରହିଥିବା ବଡ ବଡ ବୃକ୍ଷ ଗୁଡିକୁ ଛେଦନ କରାଯିବା ସହ ଜେସିବି ମାଧ୍ୟମରେ ଗଭୀର ଯାଏଁ ଖୋଳି ଦ୍ରୁମ ଗୁଡିକର ଚେର କଢାଯାଉଥିବା ବେଳେ ରାସ୍ତା ପାର୍ଶ୍ବରେ ପାନୀୟ ଜଳ ଯୋଗାଣ ପାଇଁ ବିଛାଯାଇଥିବା ପାଇପ ଗୁଡିକ ଟାଣି ହୋଇ ପଦାକୁ ବାହାରି ପଡି ଛିଣ୍ଡି ଯାଉଛି । ନର୍ଲା ପାନୀୟ ଜଳ ଯୋଗାଣ ଅଫିସ ପାଖରୁ ରାସ୍ତା ପ୍ରଶସ୍ତି କରଣ କାମ ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସ ସମ୍ମୁଖରେ ଏବଂ ଢାବା ସମ୍ମୁଖରେ ପାଞ୍ଚ ଗୋଟି ସ୍ଥାନରେ ଜେସିବି ପାନୀୟ ଜଳ ଯୋଗାଣ ପାଇପ ଗୁଡିକୁ ଓପାଡି ଦେଇଥିବାରୁ ଗତ ୨୩/୭ ରୁ ନର୍ଲା ଅଞ୍ଚଳରେ ପାନୀୟ ଜଳ ଯୋଗାଣ ଠପ୍ ହୋଇ ପଡିଛି । ଲୋକେ ପିଇବା ପାଣି ମୁନ୍ଦିକ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । କୂଅ ପାଣି ଓ ସ୍ଥାନୀୟ ନଳକୂଅ ଗୁଡିକର ପାଣି କ୍ଷାରୀୟ ହୋଇଥିବାରୁ ଏହା ପିଇବା ପାଇଁ ସେତେ ଉତ୍କୃଷ୍ଟ ହୋଇନଥିବା ବେଳେ ଭାତ ରାନ୍ଧିଲେ ଏହା ହଳଦିଆ ହୋଇଯାଉଥିବା ବେଳେ ଡାଲି ସିଝିନଥାଏ । ଏଣୁ ମହିଳା ମାନେ ରୋଷେଇ ଓ ପିଇବା ପାଇଁ ନଦୀ ପାଣିକୁ ପ୍ରାଧାନ୍ୟତା ଦେଇଥାନ୍ତି । ଏହି ପରିପ୍ରେକ୍ଷୀରେ ଦୀର୍ଘ ୬ ଦିନ ଧରି ପିଇବା ପାଣି ଯୋଗାଣ ପାଇପ ଫାଟିଯିବା ଓ ଶିଘ୍ର ମରାମତି ହୋଇନପାରିବା ଯୋଗୁଁ ବନ୍ଦ ହୋଇ ପଡିଥିବାରୁ ନାହିଁ ନଥିବା ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି । ପିଡବ୍ଲୁଡି ବିଭାଗ କାମ ବେଳେ ଏହି ପାଇପ ଲାଇନ ଭାଙ୍ଗି ଦେଇଥିବାରୁ ସେହି ବିଭାଗ କରିବା କଥା ହେଲେ ସେ ମଧ୍ୟ କର୍ଣ୍ଣପାତ କରୁନି କିମ୍ବା ପିଡବ୍ଲୁଡି ବିଭାଗ ଠିକାଦାର ଧରାଛୁଆଁ ଦେଉନଥିବା ବେଳେ ୨୦୨୧ ରେ ଏହି ପାଇପ ଲାଇନ କାମ କରିଥିବା ସମ୍ପୃକ୍ତ ଠିକାଦାର ମନୋଜ ଗୁପ୍ତା ମଧ୍ୟ ଧରାଛୁଆଁ ଦେଉନଥିବା ଜଣାପଡିଛି । କାମ କରିଥିବା ଠିକାଦାର ଶ୍ରୀ ଗୁପ୍ତା ୫ ବର୍ଷ ପାଇଁ ମେଣ୍ଟେନାନ୍ସ ଦାଇତ୍ୱ ବୁଝିବା କଥା ହେଲେ ସେ ମଧ୍ୟ ଏବେ ବିଭାଗ କୁ ଫାଙ୍କୁଥିବା ବିବାଗୀୟ ଅଧିକାରୀ ମାନେ ମତବ୍ୟକ୍ତ କରିଛନ୍ତି । ପାନୀୟ ଜଳ ଯୋଗାଣ ଅଫିସ ଠାରୁ ପ୍ରଫୁଲ୍ଲ ଢାବା ସମ୍ମୁଖ ଯାଏଁ ୫ ଗୋଟି ସ୍ଥାନରେ ପାଇପ ନଷ୍ଟ ହୋଇଯାଇଥିବା ବେଳେ ମୁଖ୍ୟ ରାସ୍ତା କଡରେ ନର୍ଲାକୁ ଯାଇଥିବା ପାଇପ ଲାଇନ ୭ ଗୋଟି ସ୍ଥାନରେ ଡ୍ୟାମେଜ ହୋଇଯାଇଛି । ସର୍ଗିଗୁଡା ପାଇପ ଲାଇନ କଢା ସରିଲାଣି ଆଉ ୩ ରୁ ୪ ଦିନ ମଧ୍ୟରେ ଏହା ଠିକ ହୋଇ ଜଳ ଯୋଗାଣ ଚାଲିବ । ନର୍ଲା ଲାଇନ ଆଉ ଗୋଟିଏ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଲାଗିବ । ସମ୍ପୃକ୍ତ ଠିକାଦାର ମାନେ କେହି ନ ଶୁଣିବାରୁ ବିଭାଗ ତରଫରୁ ବାଧ୍ୟ ହୋଇ କାମ କରିବାକୁ ପଡୁଛି ବୋଲି ନର୍ଲା ଆଡବ୍ଲୁଏସଏସ ର କନିଷ୍ଠ ଯନ୍ତ୍ରୀ ପ୍ରଭାତ ସେଠୀ ମତବ୍ୟକ୍ତ କରିଛନ୍ତି ।