କାରଗିଲ ବିଜୟୀ ଯୋଦ୍ଧା ସହିଦ ଗଙ୍ଗାରାମ ଦାସ ସ୍ମୃତି ପୀଠ ଅବହେଳିତ

କାରଗିଲ ବିଜୟ ଦିବସ ପାଳନ ଅବସରରେ ଅତିଥିମାନଙ୍କ ଉଦବେଗ ପ୍ରକାଶ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଖାନନଗର ପଞ୍ଚାୟତ ହରିଡା ଗ୍ରାମସ୍ଥ ସହିଦ ଗଙ୍ଗାରାମ ଦାସଙ୍କ ବାସଭବନ ପରିସରରେ ସହିଦଙ୍କ ସ୍ମୃତିରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନେଇ ଗଠିତ ସହିଦ ଗଙ୍ଗାରାମ ଦାସ ସ୍ମୃତି ପରିଷଦ ଆନୁକୂଲ୍ୟରେ ବାସଭବନ ପରିସରରେ ଥିବା ସହିଦଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିରେ ବରେଣ୍ୟ ଅତିଥି, ପରିଷଦର ସମସ୍ତ ସଦସ୍ୟ,ସଦସ୍ୟା ଓ ଗ୍ରାମବାସୀମାନଙ୍କ ଦ୍ବାରା ମାଲ୍ୟାର୍ପଣ, ସ୍ମୃତି ତର୍ପଣ ଅନୁଷ୍ଠିତ ହୋଇଯାଇଛି। କାରଗିଲ ବିଜୟ ଦିବସ ପାଳନ ଅବସରରେ ଆୟୋଜିତ ସାଧାରଣ ସଭା ଜାତୀୟ ସଂଗୀତ ଗାନରୁ ଆରମ୍ଭ ହୋଇଥିଲା। ସଂଗଠନର ସଭାପତି ବିଜୟ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ କର୍ଣ୍ଣେଲ କ୍ଷେତ୍ରମୋହନ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସହିଦଙ୍କର ତ୍ୟାଗ ସମର୍ପଣର ଅମରଗାଥା ବଖାଣିଥିଲେ। କିଭଳି ତତ୍କାଳୀନ କାର୍ଗିଲ ଲଢେଇ ପ୍ରତିକୂଳ ପରିବେଶ, ସୁଉଚ୍ଚ ପର୍ବତ ଶିଖରରେ ଅସମ୍ଭବକୁ ସମ୍ଭବ କରିଥିବା ଭାରତୀୟ ଯୋଦ୍ଧାମାନଙ୍କ ବଳିଦାନ,ସମର୍ପଣ, ଲଢୁଆ ମନୋଭାବ ପାଇଁ ଆନ୍ତର୍ଜାତିକ ସ୍ତରରେ ଶ୍ରେଷ୍ଠ ଲଢେଇର ମର୍ଯ୍ୟାଦା ଲାଭକରିଛି ସେ ସମ୍ପର୍କରେ ବିସ୍ତୃତ ଭାବରେ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଅଧ୍ୟାପକ ପ୍ରଭାତ କୁମାର ପରିଡା, ସମ୍ମାନିତ ଅତିଥି ଭାବରେ ଏବିଏ କଲେଜର ଅଧ୍ୟକ୍ଷା ଡ. ସଂଗୀତା ମହାନ୍ତି , ନୀଳକଣ୍ଠ ଡିଗ୍ରୀ କଲେଜରୁ ଅଧ୍ୟକ୍ଷା ପ୍ରଣତି ପ୍ରିୟଦର୍ଶନୀ ମିଶ୍ର, ନୀଳକଣ୍ଠ ଜୁନିୟର କଲେଜର ଅଧ୍ୟକ୍ଷ ଶଶୀଭୂଷଣ କର,ମାନବାଧିକାର କର୍ମୀ ସୁଧାକର ସେଠୀ, ସ୍ଥାନୀୟ ସରପଞ୍ଚ ଅଞ୍ଜନ କୁମାର ନାୟକ ସହିଦଙ୍କ ପରିବାରରୁ ପିତା ଶ୍ୟାମସୁନ୍ଦର ଦାସ, ଧର୍ମପତ୍ନୀ ମଣିମାଳା ଦାସ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିବା ସହ କାର୍ଗିଲ ବିଜୟର ଜୟଗାଥା ଅଭିଭାଷଣରେ ରଖିଥିଲେ। ପରିଷଦର ସଂପାଦକ ଜନନେତା କାର୍ତ୍ତିକ ଗିରି ପ୍ରାକ୍ କଥନ ରଖିଥିବା ବେଳେ ରଞ୍ଜନ ନାୟକ ଶେଷକଥା ରଖିଥିଲେ। ପରିଷଦ ଦ୍ବାରା ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ବିଭିନ୍ନ କଲେଜରୁ ଛାତ୍ରଛାତ୍ରୀମାନେ ଭାଗନେଇଥିଲେ। ସେମାନଙ୍କ ମଧ୍ୟରୁ ଭାବଭଞ୍ଜନ ପଣ୍ଡା ପ୍ରଥମ, ଦ୍ବିତୀୟ ଅନୀଶା ପ୍ରିୟଦର୍ଶନୀ ନାୟକ, ତୃତୀୟ ପବିତ୍ର କୁମାର ବାରିକ ହୋଇ ସାର୍ଟିଫିକେଟ ଓ ଟ୍ରଫି ଲାଭ କରିଥିବା ବେଳେ ଶ୍ରୀୟା ସନ୍ଦିପ୍ତା ପଣ୍ଡା, ସୁଭଦ୍ରା ଖିଲାର, ଅର୍ଚ୍ଚିତା ପୁହାଣ ସାନ୍ତ୍ବନା ମୂଳକ ପୁରସ୍କାର ଲାଭ କରିଥିଲେ। ସହିଦଙ୍କ ଅନ୍ତିମ ଯାତ୍ରାର ମୁକ ସାଖି କୁରୁଡା ଛକ ଠାରୁ ପଳାଶପୁର ଛକ ପର୍ଯ୍ୟନ୍ତ ସହିଦଙ୍କ ସ୍ମୃତି ବାହକ ରାସ୍ତାକୁ ସହିଦଙ୍କ ନାମରେ ନାମିତ କରିବା ସହ ଏଯାଏଁ ଆରମ୍ଭ ହୋଇନଥିବା ସ୍ମାରକୀ ତୋରଣ, ସର୍ବସାଧାରଣ ସ୍ଥାନରେ ସହିଦଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି, ସ୍ମୃତି ସଦନ, ପାଠାଗାର ସହ ସ୍ମୃତି ସଂଗ୍ରହାଳୟ ସ୍ଥାପନ ପାଇଁ ଅତିଥିମାନେ ଅଭିଭାଷଣ ମାଧ୍ୟମରେ ସରକାରଙ୍କ ପାଖରେ ଦାବି ରଖିଥିଲେ। ଅବହେଳିତ ହୋଇ ପଡିଥିବା ସହିଦଙ୍କ ଶ୍ମଶାନକୁ ନବୀକରଣ ପାଇଁ ମଧ୍ୟ ସାର୍ବଜନୀନ ଦାବି ହୋଇଥିଲା। ସୁବେଦାର ତରୁଣ କୁମାର ବିଶ୍ବାଳ, ନିରାକାର ଭୂୟାଁ, ଜିତେନ୍ଦ୍ର କୁମାର ଦାସ, ଉତ୍ତମ କୁମାର ରାଉତ, ଶୈଳେନ୍ଦ୍ର ମହନ୍ତ, ଧର୍ମେନ୍ଦ୍ର ସାହୁ, ରିତେଶ ରାଉତ, ସତ୍ୟବ୍ରତ ସ, ଆର.କେ. ମହାପାତ୍ର, ଗୋପାଳ କୃଷ୍ଣ ବୁଗୁଡେଇ, ଗୌତମ ପାଣି ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.