ବିଶାଖାପାଟଣାରେ ଆୟୁଷ୍ମାନ କାର୍ଡ ଅକାମୀ ଘଟଣା: ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ‘ଆମେ ବିପଦର ବନ୍ଧୁ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବାତେଲିମା ଗାଁର ମିଥୁନ ହରିଜନ ନାମକ ଜଣେ ଯୁବକ ଅତ୍ୟନ୍ତ ଗୁରୁତର ଭାବେ ବିଶାଖାପାଟଣାସ୍ଥିତ ସେଭେନ ହିଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଥିଲା। ତେବେ ସେଠାରେ ଆୟୁଷ୍ମାନ ଭାରତ କାର୍ଡ କାମ ନଦେବାରୁ ମିଥୁନଙ୍କ ପରିବାର ପାଇଁ ଅଡୁଆ ବଢିଥିଲା। ଏପରିକି ଆଇସିୟୁ ଭିତରେ ଥିବା ମିଥୁନଙ୍କ ଦୈନିକ ଚିକିତ୍ସା ଖର୍ଚ୍ଚ ୫୦ ହଜାର ହେଉଥିବାବେଳେ ତାଙ୍କ ବୃଦ୍ଧ ବାପ-ମାଆ ଟଙ୍କା ଯୋଗାଡ଼ କରି ପାରୁନଥିବା ଖବର ମିଳିଥିଲା। ଖବର ପାଇ ସହାୟତା ପାଇଁ ଆଗକୁ ଆଗେଇ ଆସିଥିଲେ ଆମେ ବିପଦର ବନ୍ଧୁ ହ୍ଵାଟ୍ସଆପ ଗ୍ରୁପର ସଦସ୍ୟମାନେ। ବିଭିନ୍ନ ସମୟରେ ଗରିବ, ଦୁସ୍ଥ ଓ ଅସହାୟଙ୍କ ପାଇଁ କ୍ରାଉଡ଼ ଫଣ୍ଡିଂ ଜରିଆରେ ଅର୍ଥରାଶି ସଂଗ୍ରହ କରି ସେଇ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରିଆସୁଛନ୍ତି ଏହି ହ୍ଵାଟ୍ସଆପ ଗ୍ରୁପର ସଦସ୍ୟମାନେ। ମିଥୁନଙ୍କ ସମ୍ପର୍କରେ ଖବର ପାଇଁ ଗ୍ରୁପର ସଦସ୍ୟମାନେ ତତ୍ପରତା ପ୍ରକାଶ କରିବା ସହିତ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସହାୟତା ପାଇଁ ନିବେଦନ କରିଥିଲେ। ସହାୟତା ପାଇଁ ନିବେଦନ କରିବାର ମାତ୍ର ତିନିଦିନ ମଧ୍ୟରେ ଗ୍ରୁପର ୨୫୩ ସଦସ୍ୟ ଓ ଅନ୍ୟମାନେ ସହଯୋଗର ହାତ ବଢାଇବା ଫଳରେ ୧୧୦ ଜଣଙ୍କଠାରୁ ୪୫ ହଜାର ୫୦୦ ଟଙ୍କା ସଂଗୃହୀତ ହୋଇଥିଲା। ଏହି ସଂଗୃହୀତ ଅର୍ଥରାଶିକୁ ମିଥୁନଙ୍କ ଜମାଖାତାକୁ ପଠାଇ ଦିଆଯାଇଛି। ଏହି ଅବସରରେ ମିଥୁନ ଓ ତାଙ୍କ ପରିବାର ଲୋକେ ସେଇ ଅଜଣାଅଶୁଣା ଦାତା ଓ ସହାୟତାକାରିଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ସେହିପରି ମିଥୁନଙ୍କ ଅବସ୍ଥା ମଧ୍ୟ ଧିରେଧିରେ ସୁଧୁରୁଥିବା ଜଣାପଡିଛି। ଖୁବ କମ ଦିନ ମଧ୍ୟରେ ସେ ହସ୍ପିଟାଲରୁ ବାହାରିବେ ବୋଲି ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.