ଚିପୁଲ ବୁଲାଣି ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପ୍ରସଙ୍ଗ: ମାତ୍ର ୭ ମାସରେ ମିଳିଲା ସରକାରଙ୍କ କ୍ଷତିପୁରଣ ରାଶି, ଆଇନଜୀବୀଙ୍କୁ କୃତଜ୍ଞତା ଜଣାଇଲେ ବାପା ମା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ଗ୍ରାମ ପଞ୍ଚାୟତର ବଡ ଚିଚିଙ୍ଗ ଗ୍ରାମର ହେମରାଜ ବାଗ(୨୨) ଗତ ୧୦ ନଭେମ୍ବର ୨୦୨୪ ରେ ନର୍ଲା ଚିପୁଲ ବୁଲାଣି ଠାରେ ବାଇକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଯୁବା ବୟସର ପୁଅକୁ ହରାଇ ବାପା ମା ଭାଙ୍ଗି ପଡିଥିବା ବେଳେ ନର୍ଲାର ଆଇନଜୀବି ସୌରଭ ଦାସ (ସୋମ୍‌) ସେମାନଙ୍କୁ ଆଇନଗତ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ। ୨୦୨୪ ଡିସେମ୍ବରରେ ଏ ନେଇ ନର୍ଲା ଥାନା ରେ ଏକ କେସ ଦାଏର କରିଥିଲେ ବାପା ସଦାନନ୍ଦ ବାଗ। କେସ ନଂ- ୨୬୯/୨୪ ଏମଏସିଟି କେସ ବଳରେ ଆଇନଜୀବି ଶ୍ରୀ ଦାସ ଲଢେଇ କଲେ। ଜିଲ୍ଲା ଦୌରାଜଜ କେସ ର ତୁରନ୍ତ ବିଚାର ଶୁଣାଇ ସରକାରଙ୍କୁ କ୍ଷତି ପୁରଣ ରାଶି ୧୨,୫୦,୦୦୦ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଲେ। ଆଇନ ଜୀବି ଶ୍ରୀ ଦାସ ସ୍ୱର୍ଗତ ହେମରାଜର ବାପା ମାଙ୍କୁ ତାଙ୍କ ଗାଁରେ କ୍ଷତି ପୁରଣ ରାଶିର ଚେକ ପ୍ରଦାନ କରିଛନ୍ତି। ଏଭଳି ଅନେକ କେସ ବର୍ଷ ବର୍ଷ ଧରି ପଡି ରହିଥିବା ବେଳେ କଟକ ଉଚ୍ଚ ନ୍ୟାୟାଳୟରେ ଆଇନଜୀବି ଭାବରେ କାର୍ଯ୍ୟ କରୁଥିବା ଶ୍ରୀ ଦାସ ଙ୍କ ଆନ୍ତରିକ ପ୍ରଚେଷ୍ଟା ଯୋଗୁଁ ଆମେ ପୁଅ ମୃତ୍ୟୁର କ୍ଷତି ପୁରଣ ବାବଦକୁ ସରକାରଙ୍କ ତରଫରୁ ୧୨,୫୦,୦୦୦ ଟଙ୍କା ପାଇ ପାରିଲୁ। ଆମ ଭଳି ଗରୀବ ପରିବାରକୁ ବିପଦ ସମୟରେ ଆଇନ ଗତ ସାହାଯ୍ୟ, ସହଯୋଗ କରିଥିବାରୁ ଆଇନଜୀବି ଶ୍ରୀ ଦାସ ଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ମାନ୍ୟବର ବିଚାରପତି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରୁଛୁ ବୋଲି ମୃତକ ସ୍ୱର୍ଗତ ହେମରାଜଙ୍କ ବାପା ସଦାନନ୍ଦ ବାଗ ଓ ମା ଗୁଣମତୀ ବାଗ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଅଞ୍ଚଳର ଗରୀବ, ନିରୀହ ମାନଙ୍କୁ ସେମାନଙ୍କ ଅସୁବିଧା ସମୟରେ ଜଣେ ଆଇନଜୀବି ହିସାବରେ ଆଇନଗତ ସାହାଯ୍ୟ କରିବାକୁ ମୁଁ ପ୍ରାଥମିକତା ଦେଇଥାଏ ବୋଲି ମତବ୍ୟକ୍ତ କରିଛନ୍ତି ନର୍ଲାର ଆଇନଜୀବି ଶ୍ରୀ ଦାସ। ଶ୍ରୀ ଦାସଙ୍କ ଏତାଦୃଶା ସଫଳତାକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.