ବନ୍ଦ ହୋଇଗଲା ଡେଙ୍ଗସର୍ଗୀର ‘କଳାହାଣ୍ଡି ଡ୍ରିମ୍ ସେଣ୍ଟର୍ ଏଜୁକେସନାଲ ହଷ୍ଟେଲ’; ବିନା କାଗଜ ପତ୍ରରେ ଚାଲୁଥିଲା ସଂସ୍ଥା

ଅନିଶ୍ଚିତତା ଆଡ଼କୁ ଠେଲି ହୋଇଗଲା ୯୯ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଡ୍ରିମ୍ ସେଣ୍ଟର୍ ଏଜୁକେସନାଲ ହଷ୍ଟେଲକୁ ବନ୍ଦ କରି ଦିଆଯାଇଛି। ତେଣୁ ଏଠାରେ ରହୁଥିବା ୯୯ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି ଅବିଭାବକ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶେରଗଡ଼ ଗ୍ରାମ ପଞ୍ଚାୟତର ଡେଙ୍ଗସର୍ଗୀ ଠାରେ ଦିର୍ଘଦିନ ହେଲା ଚାଲି ଆସୁଥିଲା କଳାହାଣ୍ଡି ଡ୍ରିମ୍ ସେଣ୍ଟର୍ ଏଜୁକେସନାଲ ହଷ୍ଟେଲ। ହଷ୍ଟେଲ ବନ୍ଦ ହେବା ଯୋଗୁଁ ଏଠାରେ ରହୁଥିବା ଅନ୍ତେବାସୀମାନେ ନିଜନିଜ ଘରକୁ ଫେରି ଯାଇଛନ୍ତି। ୯୯ ଅନ୍ତେବାସୀଙ୍କ ମଧ୍ୟରୁ ୨୮ ଜଣ ଛାତ୍ରଛାତ୍ରୀ ସ୍ଥାନୀୟ ହାଇସ୍କୁଲରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବାବେଳେ ବାକିତକ ଛାତ୍ରଛାତ୍ରୀ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବାର ଜଣା ଯାଇଛି। ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ଚାଲୁରହିଥିବା ସମୟରେ ହଷ୍ଟେଲ ବନ୍ଦ କରିବା ଫଳରେ ଏହି ଅନ୍ତେବାସୀମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେଇ ୯୯ ଅନ୍ତେବାସୀଙ୍କ ଥଇଥାନ ବ୍ୟବସ୍ଥା କରିବା ସହିତ ଉଚିତ ପଦକ୍ଷେପ ନେବା ପାଇଁ ଅଭିଭାବକ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ବିନା କାଗଜପତ୍ରରେ ମିଶନ ହଷ୍ଟେଲ ପରିଚାଳକ କିପରି ଦୀର୍ଘ ବର୍ଷଧରି ଏହି ସଂସ୍ଥା ପରିଚାଳନା କରୁଥିଲେ ଏବଂ ଛାତ୍ରଛାତ୍ରୀଙ୍କ ଜୀବନ ସହିତ ଖେଳ ଖେଳୁଥିଲେ ସେନେଇ ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସଂସ୍ଥାକୁ ଦେଶ ବିଦେଶରୁ କିମ୍ବା କେଉଁ ସୂତ୍ରରୁ ଅନୁଦାନ ଆସୁଥିଲା, କିପରି ଏହାର ବ୍ୟବହାର କରାଯାଉଥିଲା ଏନେଇ ପ୍ରଶାସନ ଖୋଲତାଡ କରିବା ସହ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.