ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ‘ସ୍ରଷ୍ଟା’ ପରିସରରେ ମଞ୍ଚସ୍ଥ ହେଲା ନାଟକ ‘କମ୍ବଳ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ତରଫରୁ ମାକଲପୁରସ୍ଥିତ ସ୍ରଷ୍ଟା ନାଟ୍ୟାଳୟ ପ୍ରେକ୍ଷାଳୟରେ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ନାଟକ ‘କମ୍ବଳ’ ମଞ୍ଚସ୍ଥ ହୋଇଯାଇଛି। ‘କମ୍ବଳ’କୁ ଏହି ନାଟକରେ ଫକୀରମୋହନ ସେନାପତି ଓ ଗଙ୍ଗାଧର ମେହେରଙ୍କ ସଂପର୍କର ଏକ ପ୍ରତୀକ ଭାବରେ ଗ୍ରହଣ କରାଯାଇଛି। ଏକଦା ଫକୀରମୋହନଙ୍କ ଗୃହକୁ ଗଙ୍ଗାଧର ମେହେର ଆସିଥିବା ସମୟରେ ତାଙ୍କର କମ୍ବଳଟିକୁ ବାଲେଶ୍ବରରେ ଛାଡ଼ିଦେଇ ଯାଇଥିଲେ। ଶହେବର୍ଷ ପରେ ଭାଷା ଓ ସଂପର୍କର ପ୍ରତୀକ ସେହି କମ୍ବଳକୁ ଧରି ଓଡ଼ିଆ ଭାଷା ବିକାଶ ଆନ୍ଦୋଳନର କର୍ମକର୍ତ୍ତାମାନେ ବରପାଲିକୁ ଯାତ୍ରା କରୁଛନ୍ତି। ଏହି ବିଷୟବସ୍ତୁକୁ ନେଇ ଅତି ସୁନ୍ଦର ଭାବରେ ନାଟକଟିକୁ ରଚନା କରାଯାଇଛି। ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ନିରଂଜନ ଭାରତ ଓ ଏଥିରେ ସଙ୍ଗୀତ ପରିବେଷଣ କରିଥିଲେ କଲ୍ୟାଣୀ ନନ୍ଦ। ଅଭିନୟରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଡକ୍ଟର ସାରଙ୍ଗଧର ତ୍ରିପାଠୀ, ପ୍ରଭାକର ସାହୁ, ପଣ୍ଡିତ ସଂଜୟ କୁମାର ପଣ୍ଡା, ଜୂମରନାଥ ପାତ୍ର ଓ ପ୍ରଫୁଲ୍ଲ କୁମାର ଦାସ ସେମାନଙ୍କର ନିଖୁଣ କଳା ପ୍ରଦର୍ଶନ କରିଥିଲେ। ପ୍ରଚ୍ଛଦପଟ ସଙ୍ଗାତରେ ମଞ୍ଚ ଉପରେ ମଙ୍ଗଳସୂଚକ ନୃତ୍ୟ ପରିବେଷଣ କରିଥିଲେ ସୁବ୍ରତା ମହାନ୍ତି, ସ୍ନିଗ୍ଧା ସାମନ୍ତରାୟ, ଶାନ୍ତିଲତା ପଣ୍ଡା, ମମତା ଦାସ, ତୃପ୍ତିରାଣୀ ପାତ୍ର, କୃଷ୍ଣ ପ୍ରଧାନ ଓ ବାସନ୍ତୀ ଦେ। ପ୍ରଥମେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶରତ କୁମାର ମହାପାତ୍ର, ତପନ ରାୟ, ଦୀପକ ବୋଷ, ଡ. ଶିରୀଶଚନ୍ଦ୍ର ଜେନା, ଡ. ରମାକାନ୍ତ ନାୟକ, ଡ. ରତ୍ନାକର ସିଂହ, ପ୍ରସନ୍ନ କୁମାର ଦାସ, ଜ୍ୟୋସ୍ନା ରାୟ, ଗୀତାଞ୍ଜଳି ଶତପଥୀ, ଅର୍ଚ୍ଚନା ନନ୍ଦୀ ପ୍ରମୁଖ ଶ୍ରୀଜଗନ୍ନାଥଙ୍କୁ ପୃଷ୍ପାଞ୍ଜଳି ଦେଇ ଆଶିଷ କାମନା କରିଥିଲେ। ନାଟକଟି ସମସ୍ତଙ୍କ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.