ଚତୁର୍ମୁଖୀ ବ୍ରହ୍ମାର ଦ୍ବିତୀୟ ପରାର୍ଦ୍ଧେ ଶ୍ବେତବରାହ କଳ୍ପେ ବୈବସ୍ୱତ ମନ୍ବନ୍ତରେ ଅଷ୍ଟାବିଂଶତି ଦ୍ବାପର ଯୁଗେ ଆଜକୁ ପ୍ରାୟ ୫୨୫୧ ବର୍ଷ ପୂର୍ବେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ସୂର୍ୟ୍ଯ ସିଂହ ରାଶି ରେ ଓ ଚନ୍ଦ୍ର ବ୍ରୁଷ ରାଶି ରେ ଥାଇ ରୋହିଣୀ ନକ୍ଷତ୍ର ଯୁକ୍ତ ହୋଇ ବୁଧବାର ର ଅର୍ଦ୍ଧରାତ୍ରି ରେ ମଥୁରା କଂସ ବନ୍ଦୀଶାଳାରେ ଦେବକ ରାଜାର କନ୍ଯା ମହାମାତା ଦେବକୀଙ୍କ ଗର୍ଭରୁ ଚନ୍ଦ୍ର ବଂଶ (ଯଦୁ ବଂଶ)ରେ ସ୍ବୟଂ ଅନାଦି ପରଂବ୍ରହ୍ମ ଭଗବାନ ନିଜର ପୂର୍ଣ୍ଣ ଷୋଳକଳା ସହ ଚତୁର୍ଭୁଜ ରେ ଶଙ୍ଖ,ଚକ୍ର, ଗଦା, ପଦ୍ମ ଧରି ଆବିର୍ଭାବ ହୋଇ ନିଜର ଲୀଳା ଆରମ୍ଭ କରିଲେ । ଭଗବାନଙ୍କ ସବୁ ଅବତାରରେ ନିଜର କିଛି ଅଂଶ ଥାଏ କିନ୍ତୁ ଶ୍ରୀକୃଷ୍ଣ ଅବତାର ଭଗବାନ ଙ୍କ ସଂପୂର୍ଣ୍ଣ କଳା ସହ ଶ୍ରୀହରି ଧରାବତରଣ କରିଥିବାରୁ ଜନ୍ମାଷ୍ଟମୀକୁ ଶ୍ରୀଭଗବାନ ଜନ୍ମ ମଧ୍ଯ କୁହାଯାଏ । ବୈଷ୍ଣବ ଭଗବାନଙ୍କ ପ୍ରାପ୍ତି ନିମନ୍ତେ ଅନେକ ବ୍ରତ କରିଥାନ୍ତି ତନ୍ମଧ୍ଯରୁ ଜନ୍ମାଷ୍ଟମୀ ବ୍ରତର ମହତ୍ତ୍ବ ଅଧିକ ଥାଏ । ଜନ୍ମାଷ୍ଟମୀ ବ୍ରତ ସ୍ମାର୍ତ୍ତ ଓ ବୈଷ୍ଣବ ମତାନୁସାରେ ଭିନ୍ନ ଭିନ୍ନ ଦିନରେ ଆଗପଛ ହୋଇ ହୋଇଥାଏ । ଯେପରି ବୈଷ୍ଣବ ସୂର୍ୟ୍ଯୋଦୟକୁ ଅଷ୍ଟମୀତିଥି ରହିଲେ କିମ୍ବା ରୋହିଣୀ ନକ୍ଷତ୍ର ଯୁକ୍ତ ହୋଇଥିଲେ ଜନ୍ମାଷ୍ଟମୀ ପାଳନ କରନ୍ତି ସେହିପରି ବଡ଼ଦେଉଳରେ ମଧ୍ଯରାତ୍ରିକୁ ଅଷ୍ଟମୀ ସ୍ପର୍ଶ ହୋଇଲେ ସେହି ରାତ୍ରି ହରି ଜନ୍ମାଷ୍ଟମୀ ପାଳନ ହୁଏ । ତେବେ ଭକ୍ତମାନେ ଦ୍ବନ୍ଦରେ ନ ପଡ଼ି ନିଜର ବୈଷ୍ଣବ ପରମ୍ପରା ଅଥବା ଘର ପରମ୍ପରା ଅନୁଯାୟୀ ଉଭୟ ଦିନରେ ବ୍ରତ କରିପାରିବେ ।