ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟରେ ‘ସମୁଦ୍ରତଟୀୟ ଜୈବବିବିଧତା ସୁରକ୍ଷା ପାଇଁ ପରିସ୍ଥିତିତତ୍ତ୍ୱ ଓ ଜିନ୍-ଗତ ପଦ୍ଧତି ସହ ଭାରତୀୟ ହର୍ସ-ଶୁ କ୍ରାବ୍’ ସଂପର୍କୀୟ ସ୍ବତନ୍ତ୍ର ଆଲୋଚନାକୁ ନେଇ ଏକ ପାଞ୍ଚଦିନିଆ ଜାତୀୟ କର୍ମଶାଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ୧୯ ରୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କର୍ମଶାଳାକୁ ଭାରତୀୟ ହର୍ସ-ଶୁ କ୍ରାବ୍ ଗବେଷଣା ଓ ସୁରକ୍ଷା କେନ୍ଦ୍ର ଓ ମାନବ ସମ୍ପଦ ବିକାଶ କେନ୍ଦ୍ର ପକ୍ଷରୁ ସଂଯୁକ୍ତ ଭାବେ ଆୟୋଜନ କରାଯାଇଛି। ଏହା ଜୀବବିଜ୍ଞାନ ବିଭାଗ ଓ ଜୀବବିଜ୍ଞାନ ଏବଂ ବାୟୋ ପ୍ରଦ୍ୟୋଗିକୀ ବିଭାଗର ସହଭାଗୀତା ସହ ଆରମ୍ଭ ହୋଇଛି।
ଉଦଘାଟନ ସଭାରେ କୁଳପତି ପ୍ରଫେସର ତ୍ରିପାଠୀ କହିଥିଲେ, ସମୁଦ୍ରତଟୀୟ ପରିସ୍ଥିତିତତ୍ତ୍ୱ ଓ ବିଲୁପ୍ତପ୍ରାୟ ପ୍ରଜାତିର ସୁରକ୍ଷାକାରୀ ଗବେଷଣାରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ସଦା ଉତ୍ସାହିତ ଓ ଗତିଶୀଳ। ହର୍ସ-ଶୁ କ୍ରାବ୍ରର ଦୀର୍ଘଦିନର ଗବେଷଣାରେ ଏହି ବିଶ୍ୱବିଦ୍ୟାଳୟ ଓଡ଼ିଶା ସରକାରଙ୍କ ମନୋଯୋଗ ଆକର୍ଷିତ କରିଛି ଏବଂ ବର୍ତ୍ତମାନ ବିଜ୍ଞାନ ଓ ପ୍ରଦ୍ୟୋଗିକ ବିଭାଗ ସହିତ ସଂଯୁକ୍ତଭାବେ କାମ କରିବାକୁ ‘ଓମବ୍ରିକ’ ପ୍ରକଳ୍ପ ଦ୍ବାରା ଅଗ୍ରସର ହେଉଛି । ଏଥିସହ ସହିତ ସମୁଦ୍ରଜୀବ ଓ ଜୈବବିବିଧତା ସୁରକ୍ଷା ମଧ୍ଯରେ ହର୍ସ-ଶୁ କ୍ରାବର ସଂରକ୍ଷଣ ଓ ଅନୁସନ୍ଧାନର ଆବଶ୍ୟକତାକୁ ସେ ଉଲ୍ଲେଖ କରିଥିଲେ। ଏହି ଅବସରରେ ପ୍ରଫେସର ବିଷ୍ଣୁ ପ୍ରସାଦ ଦାଶ ( ନିର୍ଦ୍ଦେଶକ- ଭାରତୀୟ ନୀଳରକ୍ତ କଙ୍କଡ଼ା ଅନୁସନ୍ଧାନ ଓ ସଂରକ୍ଷଣ କେନ୍ଦ୍ର ( ସି.ଆର.ସି.ଆଇ.ଏଚ.ଏସ.ସି.କର୍ମଶାଳା ବିଷୟ ପରିଚୟ ଦେଇ ସମୁଦ୍ରତଟୀୟ ପରିସ୍ଥିତି ବ୍ୟବସ୍ଥାପନ ଓ ସୁସ୍ଥାୟୀ ସୁରକ୍ଷାରେ ଏହାର ପ୍ରାସଙ୍ଗିକତାକୁ ବ୍ୟାପକ କରିଥିଲେ।
ଡକ୍ଟର ଭାରତ ଭୂଷଣ ପଟ୍ଟନାୟକ (ଡେପୁଟି ନିର୍ଦ୍ଦେଶକ (ସି.ଆର.ସି.ଆଇ.ଏଚ.ଏସ.ସି) ସମ୍ମାନିତ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ହର୍ସ-ଶୁ କ୍ରାବକୁ ପରିସ୍ଥିତିର ‘ମୂଳ ପ୍ରଜାତି’ ଯାହା ସଂପର୍କରେ ବିଶେଷ ଅନୁସନ୍ଧାନର ପ୍ରୟୋଜନ ରହିଥିବାର ଅବଗତ କରିଥିଲେ। ପ୍ରଫେସର ରଣୀନ୍ଦ୍ର କୁମାର ନାୟକ( ନିର୍ଦ୍ଦେଶକ- ମାନବ ସମ୍ବଳ ବିକାଶ କେନ୍ଦ୍ର- ଫକୀରମୋହନ ବିଶ୍ୱବିଦ୍ୟାଳୟ) ଯୋଗଦେଇ, ପରିବେଶ ଓ ଜିନ୍-ଗତ ଦୃଷ୍ଟିକୋଣର ସମନ୍ୱୟକୁ ଗୁରୁତ୍ୱ ଦେଇଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ମୂଖ୍ଯ ପ୍ରସଙ୍ଗ ସହ ବିବିଧ ବିଷୟର ସମନ୍ୱିତ ଗବେଷଣାର ଗୁରୁତ୍ୱକୁ ଆଲୋଚନା କରିଥିଲେ।
ବିଶିଷ୍ଟ ଅତିଥି ଭାବେ ପ୍ରଫେସର ସୁଶୀଲ କୁମାର ଦତ୍ତ (ଡନ୍ ବସ୍କୋ ବିଶ୍ୱବିଦ୍ୟାଳୟ, ଆସାମ) ଯୋଗଦେଇ, ଭାରତରେ ହର୍ସ-ଶୁ କ୍ରାବ ଉପରେ ବୃଦ୍ଧିଶୀଳ ଗବେଷଣା ଓ ସୁରକ୍ଷାର ଆବଶ୍ୟକତା ବିଷୟରେ ଅଭିଜ୍ଞତା ପ୍ରଦାନ କରିଥିଲେ। ଏହି ଅବସରରେ ଡକ୍ଟର ଅନୁଭବ ଖାନ (ଭାରତୀୟ ବିଜ୍ଞାନ ସଂସ୍ଥାନ, ବେଙ୍ଗାଲୁରୁ) ଉପସ୍ଥିତ ହୋଇ, ଜୈବ ବିବିଧତାର ବିକାଶ ଓ ହର୍ସ-ଶୁ କ୍ରାବର ସମକାଳୀନ ପରିସ୍ଥିତିତତ୍ତ୍ୱ ଓ ସୁରକ୍ଷା ପ୍ରଚେଷ୍ଟା ବିଷୟରେ ନିଜ ମତାମତ ରଖିଥିଲେ। କାର୍ଯ୍ୟକ୍ରମକୁ ଡକ୍ଟର ରାଜଶ୍ରୀ ଦତ୍ତ ସଂଚାଳନ କରିଥିଲେ। ସଭାର ଶେଷରେ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମନୋଜିତ ଭଟ୍ଟାଚାର୍ଯ୍ୟ ଧନ୍ୟବାଦ ଜଣାଇଥିଲେ।
ଏହି ପାଞ୍ଚଦିନିଆ କର୍ମଶାଳାରେ ଦେଶର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଆସିଥିବା ବୈଜ୍ଞାନିକ, ଗବେଷକ, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ସାମୁଦ୍ରିକ ଜୈବବିବିଧତା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ଜିନ୍-ଗତ ସୁରକ୍ଷା ପ୍ରସଙ୍ଗରେ ଚର୍ଚ୍ଚା, ବିଶେଷଜ୍ଞ ବ୍ୟାଖ୍ୟାନ ଓ ଅକାଦେମିକ ସଂଦର୍ଭ ଉପସ୍ଥାପନ କରିବେ। ସମୁଦ୍ରତଟୀୟ ପରିସର ଓ ବିଶିଷ୍ଟ ପ୍ରଜାତିମାନଙ୍କ ପାଇଁ ସୁସ୍ଥାୟୀ ସୁରକ୍ଷା ଅଭିଗମ ତିଆରି କରିବା ଏହି କର୍ମଶାଳାର ପ୍ରମୁଖ ଲକ୍ଷ୍ୟ ଭାବେ ସୂଚିତ କରାଯାଇଛି।