ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ଅଧିନସ୍ତ ସିକରପାଇ ପଞ୍ଚାୟତ ସିକରପାଇ ଗ୍ରାମରେ ପାଣି ସମସ୍ୟା ଦିନକୁ ଦିନ ଗଭୀର ହେଉଛି । ଗ୍ରାମରେ ରହିଥିବା ୯ଟି ନଳକୂଅ ବର୍ତ୍ତମାନ କାର୍ଯ୍ୟ କରୁନାହିଁ । ଏହାରି ପ୍ରଭାବରେ ଗ୍ରାମରେ ପାନୀୟ ଜଳର ଅଭାବ ଦେଖାଦେଇଛି | ଯାହା ଫଳରେ ଗୃହିଣୀ ନାରୀ ଓ ଶିଶୁ ଏବଂ ବୃଦ୍ଧ ମାନେ ସବୁଠୁ ଅଧିକ ପ୍ରଭାବିତ ହୋଇ ହାଣ୍ଡି ଗୋରା ଧରି ପ୍ରତିବାଦ କରିଛନ୍ତି | ଗ୍ରାମବାସୀଙ୍କ କହିବା ଅନୁସାରେ, ପାଣି ପାଇଁ ଏବେ ସେମାନେ ଦୂର ଦୂରାନ୍ତର ରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି । ଗ୍ରୀଷ୍ମକାଳରେ ଏହି ସମସ୍ୟା ଆହୁରି ଗଭୀର ହେବାର ଆଶଙ୍କା ବୋଲି ମତ ବ୍ୟକ୍ତ କରିଛନ୍ତି | ପିଇବା ପାଣିର ଅଭାବ ହେତୁ ବିଭିନ୍ନ ରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଛି । ପରିସ୍କାର ପାଣି ନ ମିଳିଲେ ପେଟ ରୋଗ,ଚର୍ମ ରୋଗ ଭଳି ସ୍ୱାସ୍ଥ୍ୟ ସମସ୍ୟା ବିକାଶ ପାଇପାରେ ବୋଲି ଚିନ୍ତା ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ସେମାନଙ୍କ କହିବା ଅନୁସାରେ ଅନେକ ଥର ପ୍ରଶାସନକୁ ସୂଚନା ଦେବା ସତ୍ୱେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ଏଣୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ଏହି ୯ଟି ନଳକୂଅ କୁ ମରାମତି କରିବାକୁ ପଡ଼ିବ ନଚେତ ପାଣି ସଙ୍କଟ ଆହୁରି ଗଭୀର ହେବ ଓ ଲୋକମାନଙ୍କ ଜୀବନ ଜୀବିକା ସଂକଟଗ୍ରସ୍ତ ହେବ । ଆମେ ଅତିତରୁ ପାଣିର ସମସ୍ୟା ଭୋଗୁଛୁ କିନ୍ତୁ ଏବେ ୯ଟି ନଳକୂଅ ବନ୍ଦ ହୋଇଯିବାରୁ ପରିସ୍ଥିତି ଅତ୍ୟନ୍ତ ଗଭୀର । ପ୍ରଶାସନ ତୁରନ୍ତ କାର୍ଯ୍ୟକ୍ଷମର ପଦକ୍ଷେପ ନିଅନ୍ତୁ ନ ହେଲେ ଆମେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ।